ମହାରାଣୀଙ୍କୁ ହତ୍ୟା ପାଇଁ ଯାଇଥିଲେ ଶିଖ୍‌ ଯୁବକ

ଲଣ୍ଡନ, ୨୮ା୧୨: ଜାଲିଆନ୍‌ଓ୍ବାଲା ବାଗ୍‌ ଗଣହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜଣେ ଭାରତୀୟ ଶିଖ୍‌ ଯୁବକ ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି। ଖ୍ରୀଷ୍ଟମାସ ପାଳନ ପାଇଁ ମହାରାଣୀ ଓ୍ବିଣ୍ଡସର୍‌ କାସ୍‌ଲେରେ ପହଞ୍ଚିଥିବାବେଳେ ଅଭିଯୁକ୍ତ ଯଶଓ୍ବନ୍ତ ସିଂ ଚେଲ୍‌ ସେଠାରେ ଧନୁ ତୀର ଭଳି ଅସ୍ତ୍ର ଧରି ପହଞ୍ଚି ଯାଇଥିଲେ। ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା। ଯଶଓ୍ବନ୍ତଙ୍କ ବୟସ ୧୯ ବର୍ଷ। ବ୍ରିଟିଶ ଶାସନବେଳେ ୧୯୧୯ରେ ପଞ୍ଜାବର ଅମୃତସରଠାରେ ହୋଇଥିବା ଗଣହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଯଶଓ୍ବନ୍ତ ଏପରି କରିଥିଲେ ବୋଲି ଏକ ଭିଡିଓରେ କହିଛନ୍ତି। ଓ୍ବିଣ୍ଡସର କାସ୍‌ଲେକୁ ଯିବା ପୂର୍ବରୁ ସେ ଏହି ଭିଡିଓକୁ ସ୍ନାପ୍‌ଚାଟ୍‌ରେ ଅପ୍‌ଲୋଡ୍‌ କରିଥିଲେ। ଏହା ଜଣାପଡ଼ିବା ପରେ ସ୍କଟ୍‌ଲାଣ୍ଡ ୟାର୍ଡ ଘଟଣାର ତଦନ୍ତ ଆରମ୍ଭ କରିଛି। ମେଟ୍ରୋପଲିଟାନ୍‌ ପୋଲିସ ଯଶଓ୍ବନ୍ତଙ୍କ ମାନସିକ ସ୍ଥିତି ଯାଞ୍ଚ କରିବା ସହ ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି।
ଭିଡିଓରେ ଯଶଓ୍ବନ୍ତ କହିଛନ୍ତି, ‘ଯାହା ମୁଁ କରିଛି ଏବଂ କରିବାକୁ ଯାଉଛି ସେଥିପାଇଁ ମୋତେ କ୍ଷମା କର। ମୁଁ ରାଜ ପରିବାରର ମହାରାଣୀ ଏଲିଜାବେଥ୍‌ଙ୍କୁ ହତ୍ୟା ପାଇଁ ଉଦ୍ୟମ କରିବି। ଏହା ୧୯୧୯ ଜାଲିଆନ୍‌ଓ୍ବାଲା ବାଗ୍‌ ହତ୍ୟାକାଣ୍ଡର ପ୍ରତିଶୋଧ ହେବ। ଏଥିସହ ଜାତି, ବର୍ଣ୍ଣ ଯୋଗୁ ଭେଦଭାବର ଶିକାର ହୋଇଥିବା ଲୋକଙ୍କ ପାଇଁ ଏହା ନ୍ୟାୟ ହେବ। ମୁଁ ଜଣେ ଭାରତୀୟ ଶିଖ୍‌। ମୋ ନଁା ଯଶଓ୍ବନ୍ତ ସିଂ ଚେଲ୍‌ ଥିଲା। ଏବେ ମୁଁ ଡାର୍ଟ ଜୋନ୍ସ’। ଏଥିରେ ସେ ମୁହଁକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିବା ସହ ସ୍ବର ଚିହ୍ନଟ ନ ହେବା ପାଇଁ ଫିଲ୍ଟର ବ୍ୟବହାର କରିଛନ୍ତି। ଭିଡିଓଟି ଦ ସନ୍‌ ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରାଯାଇଛି। ଏଥିରେ ଯଶଓ୍ବନ୍ତ ‘ଷ୍ଟାର ଓ୍ବାର’ ଫିଲ୍ମ ଭଳି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଜାଲିଆନ୍‌ୱାଲା ବାଗ୍‌ଠାରେ ସ୍ବାଧୀନତା ସଂଗ୍ରାମ ଜାରି ରଖି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ବ୍ରିଟିଶ ସେନା ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା, ୧୨୦୦ରୁ ଅଧିକ ଆହତ ହୋଇଥିଲେ।

Share