Categories: ବାଣିଜ୍ୟ

ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୧୭।୩ (ଅଭୟ ଦାଶ): ଓଡ଼ିଶା ପ୍ରଦେଶରେ ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କର କାର୍ଯ୍ୟକଳାପ ଆଶାନୁରପ ରହିଥିବାବେଳେ ରାଜ୍ୟର ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି ସହ ବ୍ୟାଙ୍କଗୁଡିକର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ୧୭୪ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଷ୍ଟେଟ ଲେବୁଲ ବ୍ୟାଙ୍କର୍ସ କମିଟି ବା ଏସ୍‌ଏଲ୍‌ବିସି) ବୈଠକରେ ମତପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଶନିବାର ଭୁବନେଶ୍ୱରର ଏକ ତାରକା ହୋଟେଲର ୧୭୪ତମ ଏସ୍‌ଏଲ୍‌ବିସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏପରିକି ୟୁକୋ ବ୍ୟାଙ୍କ ପକ୍ଷରୁ ଏହି ବୈଠକର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏସ୍‌ଏଲ୍‌ବିସିର ଆବାହକ ଗୌତମ ପାତ୍ର ଅତିଥି ପରିଚୟ ସହ ସ୍ବାଗତ ଅଭିଭାଷଣ ଏବଂ ବୈଠକର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ମତବ୍ୟକ୍ତ କରିଛନ୍ତି। ସେହିଭଳି ୟୁକୋ ବ୍ୟାଙ୍କର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟ ପାଳନ ଅଧିକାରୀ ତଥା ଏସ୍‌ଏଲ୍‌ବିସି ଓଡ଼ିଶାର ଅଧ୍ୟକ୍ଷ ଅଶ୍ୱିନୀ କୁମାର କହିଥିଲେ, ରାଜ୍ୟର ବାର୍ଷିକ ଋଣ ଯୋଜନାରେ ବ୍ୟାଙ୍କ ସମୂହ ଉତ୍ତମ ପ୍ରଦର୍ଶନ ସହ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଏପରିକି କୃଷି,ଏମ୍‌ଏସ୍‌ଏମ୍‌ଇ, ଏସ୍‌ଏଚ୍‌ଜି ଏବଂ ସାମାଜିକ ସୁରକ୍ଷା ଯୋଜନାରେ ମଧ୍ୟ ଆଶାତୀତ ସଫଳତା ସହ ଉତ୍ତମ ପ୍ରଗତି କରିଥିବାରୁ ସେ ବ୍ୟାଙ୍କ ସମୂହ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ କହିଥିଲେ, ୨୦୨୩ ଡିସେମ୍ବର ସୁଦ୍ଧା ବାର୍ଷିକ ଋଣ ଯୋଜନାରେ ବ୍ୟାଙ୍କଗୁଡିକ ମୋଟ ୧,୨୮,୨୬୮.୮୫ କୋଟି ଟଙ୍କାର ଋଣ ଯୋଗାଇ ଦେଇଥିବାବେଳେ ଏହି ଅବଧି ମଧ୍ୟରେ ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟ ୧,୬୦,୨୮୦.୨୨ କୋଟି ଟଙ୍କାର ୮୦.୦୩% ହୋଇଛି। ଏପରିକି ଅନ୍ୟ ରାଜ୍ୟଗୁଡିକୁ ପଛରେ ପକାଇ ବ୍ୟାଙ୍କ ସମୂହ ମୋଟ ୮୨.୫୦% ଉଲ୍ଲେଖନୀୟ ସିଡି ଅନୁପାତ ହାସଲ କରିଥିବାରୁ ସେ ବ୍ୟାଙ୍କ ସମୂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅପରପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି ବ୍ୟାଙ୍କ ସମୂହ କଓ୍ବୋଇସି ନିୟମକୁ କଡ଼ାକଡି ପାଳନ କରିବା ସହ ରାଜ୍ୟର ସମସ୍ତ ଜିଲାକୁ ପୂର୍ଣ୍ଣ ଡିଜିଟାଲାଇଜେଶନ କରିବା ପାଇଁ ଦେଇଥିଲେ। ସେହିଭଳି ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ଆର୍‌. କାର୍ତ୍ତିକେୟନ କହିଥିଲେ, ମହିଳା ସ୍ବୟଂ ସହାୟକା ଗୋଷ୍ଠୀମାନଙ୍କୁ ଚଳିତ ଆର୍ଥିକ ବର୍ଷରେ ୧୫୦୦୦କୋଟି ଟଙ୍କାର ଋଣ ଯୋଗାଇ ଦେଇଥିବାରୁ ସେ ବ୍ୟାଙ୍କ ସମୂହଙ୍କୁ ଧନ୍ୟବାଦ ଜଣାଇବା ସହ ୨୦୨୪ ଫେବୃଆରୀ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଥିବାରୁ ସୁଜାତା ବ୍ୟାଙ୍କଗୁଡ଼ିକର କାର୍ଯ୍ୟକୁ ସ୍ବାଗତ ଜଣାଇଥିଲେ। ସେହିପରି ନାବାର୍ଡ ଭୁବନେଶ୍ୱରର ସିଜିଏମ୍‌ ସୁଧାଂଶୁ କେ.କେ. ମିଶ୍ର ବ୍ୟାଙ୍କଗୁଡ଼ିକୁ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପ୍ରଶଂସା କରିଥିଲେ। ପରିଶେଷରେ ଏସ୍‌ଏଲ୍‌ବିସି ଓଡ଼ିଶା ପ୍ରଭାରୀ ଲିଙ୍ଗରାଜ ନାୟକ ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।

Share