ସିଗ୍‌ନାଲ୍‌ ବ୍ୟବସ୍ଥାର ହେବ ସୁପର ଚେକ୍‌

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗାଠାରେ ହୋଇଥିବା ଟ୍ରେନ ଦୁର୍ଘଟଣା ପରେ ରେଲଓ୍ବେ ବୋର୍ଡ ତତ୍ପରତା ପ୍ରକାଶ କରିଛି। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସିଗ୍‌ନାଲ ବ୍ୟବସ୍ଥାର ‘ସୁପର ଚେକ୍‌’ (ଯାଞ୍ଚ) କରିବାକୁ ବୋର୍ଡ ପକ୍ଷରୁ ସୋମବାର ସମସ୍ତ ୧୯ ରେଲଓ୍ବେ ଜୋନ୍‌କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଜୋନ୍‌ଗୁଡ଼ିକରେ ସୁରକ୍ଷାକୁ ନେଇ ରହିଥିବା ଅବହେଳା ଓ ଅନିୟମିତତା ସମ୍ପର୍କରେ ଜୁନ ୧୪ ସୁଦ୍ଧା ରିପୋର୍ଟ ଦେବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ଷ୍ଟେଶନରେ ଥିବା ସମସ୍ତ ରିଲେ ରୁମ୍‌ଗୁଡ଼ିକୁ ଭଲ ଭାବେ ଯାଞ୍ଚ କରି ଡବଲ୍‌ ଲକିଂ ବ୍ୟବସ୍ଥାକୁ

ନିଶ୍ଚିତ କରିବେ। ରେଳ ଲାଇନ୍‌ଗୁଡ଼ିକର ସଂଯୋଗ ଓ ବିଚ୍ଛେଦବେଳେ ସିଗ୍‌ନାଲିଂ ଆଣ୍ଡ୍‌ ଟେଲିକମ୍ୟୁନିକେଶନ (ଏସ୍‌ଆଣ୍ଡ୍‌ଟି) ଇକ୍ୟୁପମେଣ୍ଟକୁ ଗାଇଡଲାଇନ ଅନୁଯାୟୀ କଡ଼ାକଡ଼ି ଭାବେ ପାଳନ କରିବାକୁ ବୋର୍ଡ ପକ୍ଷରୁ ସମସ୍ତ ଜୋନ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବୋର୍ଡର ଏଭଳି ତତ୍ପରତାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ଏହି ‘ସୁପର ଚେକ୍‌’ କେବଳ ଇଂଲିଶ ଶବ୍ଦ। ଯାଞ୍ଚର ବିଭିନ୍ନ ଶବ୍ଦ ସୃଷ୍ଟି କରାଯାଉଛି। ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି। ଏହାର ଅର୍ଥ କିଛି ନାହିଁ। ଏହା ଅଧିକ ଗୁରୁତ୍ୱ ଦିଏ ନାହିଁ ବୋଲି ରେଲଓ୍ବେର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି।