Categories: ଜାତୀୟ

ସେନାରେ ଶେଷ ହେବ ପରାଧୀନତାର ଚିହ୍ନ, ବଦଳିବ ପୋଷାକ…

ନୂଆଦିଲ୍ଲୀ, ୨୧।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ନୂତନ ନୌସେନା ପତାକା ଉନ୍ମୋଚନ କରିଛନ୍ତି। ପତାକାରେ ବ୍ରିଟିଶ ଶାସନର ପ୍ରତୀକ ରେଡ କ୍ରସ ହଟାଯାଇଛି। ବର୍ତ୍ତମାନ ଆଲୋଚନା ହେଉଛି ଯେ ସେନାରେ ଥିବା ସେହି ସମସ୍ତ ଚିହ୍ନକୁ ଶେଷ କରିବାକୁ ପ୍ରସ୍ତୁତି ଚାଲିଛି, ଯାହା ଆମକୁ ବ୍ରିଟିଶ ଶାସନକୁ ମନେ ପକାଇଥାଏ। ଆଗାମୀ ସମୟରେ, ଯବାନମାନଙ୍କ ୟୁନିଫର୍ମ, ସମାରୋହ ତଥା ରେଜିମେଣ୍ଟ ଏବଂ କୋଠାର ନାମରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ସେନାର ଆଡଜୁଟାଣ୍ଟ ଜେନେରାଲ ପ୍ରଚଳିତ ରୀତିନୀତି, ପୁରୁଣା ଅଭ୍ୟାସ ଏବଂ ନୀତି ସମୀକ୍ଷା କରିବେ।

ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ସମୟରେ କାନ୍ଧରେ ଥିବା ଦଉଡିଟି ରହିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହା ବ୍ୟତୀତ ରେଜିମେଣ୍ଟର ନାମ ମଧ୍ୟ ବିଚାର କରାଯିବ। ଶିଖ, ଗୋରଖା, ଜାଟ, ପଞ୍ଜାବ, ଡୋଗ୍ରା, ରାଜପୁତ ଏବଂ ଆସାମ ପରି ପଦାତିକ ରେଜିମେଣ୍ଟର ନାମ ବ୍ରିଟିଶମାନଙ୍କ ଦ୍ୱାରା ହୋଇଥିଲା।

ଗତ ବର୍ଷ ମିଳିତ କମାଣ୍ଡରଙ୍କ ଏକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଶସ୍ତ୍ର ବାହିନୀରେ ନୀତି, ପ୍ରଣାଳୀ ଏବଂ ରୀତିନୀତିର ସ୍ବଦେଶୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏନେଇ ସେ ତିନି ପ୍ରତିରକ୍ଷା ସେବାକୁ ପରାମର୍ଶ ଦେଇଥିଲେ ଯେ ଯାହା ସେମାନଙ୍କର ଉପଯୋଗୀତା ଏବଂ ପ୍ରାସଙ୍ଗିକତା ହରାଇଛି ସେସବୁକୁ ବାଦ ହେବା ଜରୁରୀ।

ସୂଚନାଯୋଗ୍ୟ ଆଜି ବି ଦେଶର ଅନେକ କୋଠା, ରାସ୍ତାଘାଟ ଏବଂ ପାର୍କ ବ୍ରିଟିଶ କମାଣ୍ଡୋଙ୍କ ନାମରେ ନାମିତ ହୋଇଛି ଯେପରିକି ସାର୍‌ କ୍ଲାଉଡ ଆଚିନ୍ଲେକ ଏବଂ ହର୍ବର୍ଟ କିଚେନରଙ୍କ ନାମରେ ନାମିତ ହୋଇଛି। ଭବିଷ୍ୟତରେ ଏହି ନାମଗୁଡିକର ମଧ୍ୟ ପରିବର୍ତ୍ତନ ହେବାର ଯୋଜନା ରହିଛି।

Share