୨ ସପ୍ତାହରେ ୪୯ ଫିଲ୍ମ କରିଥିଲେ ସାଇନ୍‌

ମୁମ୍ବାଇ: ହିନ୍ଦୀ ଫିଲ୍ମର ପ୍ରତ୍ୟେକ କଳାକାରଙ୍କ କ୍ୟାରିୟରରେ ଏକ ସମୟ ଆସିଥାଏ ଯେତେବେଳେ ସେ ବହୁତ ନାଁ କମାଇଥାନ୍ତି। ୯୦ ଦଶକରେ ବଲିଉଡ୍‌ର ହାସ୍ୟ ଅଭିନେତା ଗୋବିନ୍ଦା ମଧ୍ୟ ଅନେକ ପ୍ରଶଂସା ସାଉଁଟିଥିଲେ। ବର୍ତ୍ତମାନ ଲାଗୁଛି ଗୋବିନ୍ଦାଙ୍କ ଯୁଗ ଯେମିତି ଶେଷ ହେବାକୁ ଯାଉଛି। ଦୀର୍ଘ ସମୟ ଧରି ସେ କୌଣସି ବି ଫିଲ୍ମରେ ନଜର ଆସିନାହାନ୍ତି। ଗୋବିନ୍ଦା ତାଙ୍କ ସମୟରେ ଭଁସାଲୀ ଭଳି ନିର୍ମାତାଙ୍କ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ଗୋବିନ୍ଦା ନିଜେ ପ୍ରକାଶ କରିଛନ୍ତି।

ଗୋବିନ୍ଦା ତାଙ୍କ ସମୟରେ ଅନେକ ଶ୍ରେଷ୍ଠ ଫିଲ୍ମରେ କାମ କରିଛନ୍ତି। ତାଙ୍କର ଫିଲ୍ମ ଲୋକମାନଙ୍କୁ ବେଶ୍‌ ଆନନ୍ଦ ଦେଉଥିଲା। ତାଙ୍କର ନମ୍ବର ସିରିଜ ଫିଲ୍ମ ଚମତ୍କାର ହୋଇଥିଲା। ଏଥିରେ ହିରୋ ନମ୍ବର ଓ୍ବାନ, କୁଲି ନମ୍ବର ଓ୍ବାନ ଭଳି ଅନେକ ଫିଲ୍ମ ରହିଛି। ଗୋବିନ୍ଦା ଏବଂ କରିସ୍ମା କପୁରଙ୍କ ଯୋଡ଼ି ସେହି ସମୟରେ ସୁପରହିଟ୍‌ ହୋଇଥିଲା। ଉଭୟ ବ୍ଲକବଷ୍ଟର ଫିଲ୍ମରେ ଏକାଠି କାମ କରିଛନ୍ତି। କିନ୍ତୁ କିଛି ସମୟ ପରେ ତାଙ୍କର ଅନେକ ଫିଲ୍ମ ଫ୍ଲପ୍‌ ହୋଇଗଲା। ସେହି ସମୟରେ ସେ ରାଜନୀତିରେ ପାଦ ଦେଇଥିଲେ। ସେ ଥରେ ମୁମ୍ବାଇ ଅନ୍ଧେରୀର ଏମ୍‌ପି ବି ହୋଇଥିଲେ। ସେଠାରେ ବି ତାଙ୍କ କ୍ୟାରିୟର ଦୀର୍ଘ ସମୟ ରହିପାରିଲା ନାହିଁ।

ଏପରିକି ୨ ସପ୍ତାହରେ ସେ ୪୯ଟି ଫିଲ୍ମରେ ସାଇନ କରିଥିଲେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଗୋବିନ୍ଦା। ତାଙ୍କ ଫିଲ୍ମର ଶୁଟିଂ ଶେଷ କରିବାକୁ ତାଙ୍କ ପାଖରେ ସମୟ ନ ଥିଲା। ନିର୍ମାତାମାନେ ସବୁବେଳେ ଗୋବିନ୍ଦାଙ୍କୁ ସେମାନଙ୍କର ପ୍ରତ୍ୟେକ ଫିଲ୍ମରେ ଦେଖିବାକୁ ଚାହୁଁଥିଲେ। ଆଜି ଯଦିଓ ଗୋବିନ୍ଦା ତାଙ୍କ ଫିଲ୍ମ କ୍ୟାରିୟରକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛନ୍ତି, ତଥାପି ସେ ଥରେ ‘ତାଲ’ ଏବଂ ‘ଦେବଦାସ’ଭଳି ଫିଲ୍ମ ଛାଡିଥିଲେ। ଗୋବିନ୍ଦା କହିଥିଲେ, ଏହି ଫିଲ୍ମଗୁଡ଼ିକ କେବଳ ତାଙ୍କ ପାଇଁ ନୁହେଁ, ତାଙ୍କୁ ଦେବଦାସରେ ଚୁନିଲାଲ ଭୂମିକାରେ ଅଭିନୟ ପାଇଁ କୁହାଯାଇଥିଲା। ସେ କାଷ୍ଟିଂ ନିର୍ଦ୍ଦେଶକଙ୍କୁ ପଚାରିଥିଲେ ଯେ, ସେ କାହାକୁ ମଦ୍ୟପାନ କରି ଚୁନିଲାଲଙ୍କ ପରି ହତ୍ୟା କରିବେ? ଏହି ଭୂମିକା ପାଇଁ ମୁଁ ଠିକ୍‌ ନୁହେଁ। ‘ତାଲ’ରେ ଅନିଲ କପୁରଙ୍କ ଭୂମିକା ଗୋବିନ୍ଦାଙ୍କୁ ଦିଆଯାଇଥିଲା। ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ।

Share