Categories: ଜାତୀୟ

୧୮ ଦିନ ପରେ ସିଦ୍ଧୁ ଫେରାଇ ନେଲେ ଇସ୍ତଫା, କହିଲେ ସବୁ ଠିକ୍ ହୋଇଗଲା

ନୂଆଦିଲ୍ଲୀ,୧୬ ।୧୦: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହରେ କିଛିଟା ଶାନ୍ତି ପଡି ଯାଇଥିବା ଲକ୍ଷ୍ୟ କରାଯାଉଛି । ଦଳର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ୧୮ ଦିନ ପରେ ତାଙ୍କ ଇସ୍ତଫା ଫେରାଇ ନେଇଛନ୍ତି । ଶୁକ୍ରବାର ସେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ୍ କରିବା ପରେ ବେଶ୍ କିଛି ସମୟର ଏହି ଆଲୋଚନା ପରେ ସିଦ୍ଧୁ ତାଙ୍କ ଇସ୍ତଫା ଫେରାଇ ନେଇଥିବା ସୂଚନା ଦେଇଛନ୍ତି ପଞ୍ଜାବର କଂଗ୍ରେସ ପ୍ରଭାରୀ ହରିଶ ରାୱତ । ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସିଦ୍ଧୁ କହିଛନ୍ତି ଏବେ ସବୁ ଠିକ୍ ହୋଇଯାଇଛି ତେଣୁ ସେ ତାଙ୍କ ଇସ୍ତଫା ଫେରାଇ ନେଇଛନ୍ତି । ହେଲେ ସେ ଅଧ୍ୟକ୍ଷ ପଦରେ ରହିବେ କି ନା ସେ ପ୍ରଶ୍ନର ଉତ୍ତରକୁ ସିଦ୍ଧୁ ଏଡାଇ ଦେଇଛନ୍ତି । କିନ୍ତୁ ସେ ପୁଣିଥରେ ଅଧ୍ୟକ୍ଷ ପଦରେ ରହିବେ ବୋଲି ହରିଶ ରାୱତ ଇଙ୍ଗିତ କରିଛନ୍ତି । ଦଳକୁ ନେଇ ସିଦ୍ଧୁଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହେବା ସହ ସେ ରାହୁଲଙ୍କଠାରୁ ପୂର୍ଣ୍ଣ ପ୍ରତିଶୃତି ପାଇ ଇସ୍ତଫା ଫେରାଇ ନେଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ଯେତେବେଳେ ସେ ଇସ୍ତଫା ଦେଇଥିଲେ ଅନୁମାନ କରାଯାଉଥିଲା କି ସେ କଂଗ୍ରେସ ଦଳକୁ ବି ଛାଡି ପାରନ୍ତି । ହେଲେ ଏବେ ସେ ପୁଣି ଘରକୁ ବାହୁଡିଛନ୍ତି ।

Share