ଭୁଲ୍‌ ଇଞ୍ଜେକ୍‌ଶନ ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟା

ସୋର, ୭ା୧୦(ଜନ୍ମେଜୟ ମିଶ୍ର): ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଜଙ୍ଗଲ ପାଦଦେଶରେ ରହୁଥିବା ଗ୍ରାମବାସୀଙ୍କ ଛେଳି ଓ ଗୋରୁଙ୍କୁ ଗତ ଗୁରୁବାର ଇଞ୍ଜେକ୍ସନ ଦିଆଯାଇଥିବା ବେଳେ ଏହାର ପ୍ରଭାବରେ ଗତ ଦୁଇଦିନ ମଧ୍ୟରେ ୮ ଛେଳି ମରିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଶୁକ୍ରବାର ଗ୍ରାମକୁ ଯାଇଥିବା ପ୍ରାଣୀ ଡାକ୍ତରୀ ଟିମ୍‌କୁ ଗ୍ରାମବାସୀ ଭୁଲ୍‌ ଇଞ୍ଜେକ୍ସନ ପାଇଁ ତାଙ୍କ ଛେଳି ମରିଯାଇଥିବା ଅଭିଯୋଗ ଆଣି ଅଧିକାରୀମାନଙ୍କୁ ଘେରିଛନ୍ତି। ଏହି ଗ୍ରାମ ସମେତ ନିକଟସ୍ଥ ଗ୍ରାମରେ ବନବିଭାଗ ତରଫରୁ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ବନ୍ୟଜନ୍ତୁ ଓ ଗୃହପାଳିତ ପ୍ରାଣୀମାନଙ୍କ ସୁରକ୍ଷା ପାଇଁ ଆନ୍ଥ୍ରାକ୍ସ ଇଞ୍ଜେକ୍ସନ ଗତ ଗୁରୁବାର ଦିଆଯାଇଥିଲା। କିନ୍ତୁ ଇଞ୍ଜେକ୍ସନ ଦେବାପରେ ଛେଳିମାନଙ୍କ ଦେହରେ ଇଞ୍ଜେକ୍ସନ ନେଇଥିବା ଜାଗା ଫୁଲିଯାଇଥିଲା। ପରେ ଏହା ସଂକ୍ରମିତ ହେବା ଫଳରେ ଅସୁସ୍ଥ ହୋଇ ଗ୍ରାମର ଭାସ୍କର ସିଂଙ୍କର ୫ଟି, ଲଲା ସିଂଙ୍କର ୨ଟି ଓ ଜଗବନ୍ଧୁ ସିଂଙ୍କର ୧ ଛେଳି ମୃତ୍ୟୁ ହୋଇଥିବା ବେଳେ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ଛେଳି ଅସୁସ୍ଥ ଅଛନ୍ତି। ଖବରପାଇ ପ୍ରାଣୀ ବିଭାଗର ଏକ ଟିମ୍‌ ଉକ୍ତ ଗ୍ରାମରେ ପହଞ୍ଚି ଅସୁସ୍ଥ ଛେଳିମାନଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ସହିତ ଚିକିତ୍ସା କରିଛନ୍ତି। ଗ୍ରାମବାସୀ ଛେଳି ମୃତ୍ୟୁର ପ୍ରକୃତ କାରଣ ପଚାରିବାରୁ ଏହି ଟିମ୍‌ ଲୋକଙ୍କ ସହ ଅଯୁକ୍ତିକର କଥା କହିବାରୁ ସେଠାରେ ଉତ୍ତେଜନା ଦେଖାଯାଇଥିଲା। କିନ୍ତୁ ଏହି ଟିମ୍‌ ସେଠାରୁ ଫେରି ଆସିବାକୁ ବାଧ୍ୟ ହୋଇଥିଲା। ପୂର୍ବରୁ ତାଙ୍କ ଛେଳି ଭଲ ଥିବା ବେଳେ ଇଞ୍ଜେକ୍ସନ ଦେବା ପରଠାରୁ ଏପରି ଘଟଣା ଘଟୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏପଟେ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରିବାରୁ ଆମେ ୫ଟି ଗ୍ରାମରେ ୨୦୦ ଗୋରୁ ଓ ୫୦୦ ଛେଳିକୁ ଇଞ୍ଜେକ୍ସନ ଦେଇଛୁ, ତାମଧ୍ୟରୁ ମରିଯାଇଥିବା ଛେଳିମାନଙ୍କ ଦେହରେ କୌଣସି ରୋଗ ଥିବା କାରଣରୁ ମରିଯାଉଥିବା ସନ୍ଦେହ କରି କହିଥିଲେ ।