Categories: ଖେଳ

ଏବେ ଦେଶ ପାଇଁ ଖେଳିବେ ତେଜରାତି ଦୋକାନୀଙ୍କ ପୁଅ; ଅର୍ଥାଭାବ ସତ୍ତ୍ୱେ ବାପାଙ୍କ ସ୍ବପ୍ନକୁ ପୂରଣ କଲେ…

ଲକ୍ଷ୍ନୌ,୨୧।୧୨: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ କୋଟଗାଓଁର ଏକ ଛୋଟ ତେଜରାତି ଦେକାନ ରବିବାରଠାରୁ ଚର୍ଚ୍ଚାରେ ରହିଛି। ଏହା ପଛରେ କାରଣଟି ହେଲା ଉକ୍ତ ଦୋକାନର ମାଲିକ ଶ୍ରବଣ ଯାଦବଙ୍କ ପୁଅ ସିର୍ଦ୍ଧାର୍ଥଙ୍କୁ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଚୟନ କରାଯାଇଛି। ଶୀର୍ଷକ୍ରମର ଏହି ବ୍ୟାଟ୍ସମ୍ୟାନ ଆଗାମୀ ଏସିଆ କପ୍‌ ପାଇଁ ଭାରତର ଅଣ୍ଡର-୧୯ ଟିମ୍‌ରେ ସାମିଲ ହୋଇଛନ୍ତି। ଏହାପରେ ଜାନୁୟାରୀରେ ବିଶ୍ୱକପ୍‌ ଖେଳାଯିବ। ଏଣୁ ଶ୍ରବଣ ପୁଅଙ୍କ ଏହି ଉପଲବ୍ଧିକୁ ନେଇ ଉତ୍ସାହିତ ଅଛନ୍ତି।

ଶ୍ରବଣ ନିଜ ପୁଅଙ୍କ ସଂଘର୍ଷକୁ ନେଇ କହିଛନ୍ତି, ଯେତେବେଳେ ସିଦ୍ଧାର୍ଥ ଛୋଟ ଥିଲେ, ସେତେବେଳଠାରୁ କ୍ରିକେଟ ଖେଳୁଥିବା ଦେଖିବା ମୋର ସ୍ବପ୍ନ ଥିଲା। ପ୍ରଥମ ଥର ଲାଗି ସେ ବ୍ୟାଟ୍‌କୁ ବାମ ହାତରେ ଧରିଥିଲେ। ଏହା ଦେଖି ତାର ଜେଜେ ମା’ କିଭଳି ଓଲଟା ଛିଡ଼ା ହୋଇଛି ବୋଲି କହିଥିଲେ। ହେଲେ ସେ ଏଭଳି ହିଁ ଖେଳିବ ବୋଲି ମୁଁ କହିଥିଲି। ସେବେଠାରୁ ସେ ବାମ ହାତରେ ବ୍ୟାଟିଂ କରୁଛି।

ଜଣେ ଗମ୍ଭୀର କ୍ରିକେଟର ଭାବେ ଆଠ ବର୍ଷ ବୟସରେ ସିଦ୍ଧାର୍ଥ ନିଜର ଯାତ୍ରା ଆରମ୍ଭ କରିଥିଲେ। ବାପାଙ୍କ ସ୍ବପ୍ନ ପୂରଣ କରିବା ଲାଗି ବହୁତ ପରିଶ୍ରମ ଏବଂ ତ୍ୟାଗର ଆବଶ୍ୟକତା ରହିଥିଲା। ପ୍ରତିଦିନ ଅପରାହ୍ନରେ ଶ୍ରବଣ ପୁଅଙ୍କୁ ପାଖରେ ଥିବା ପଡ଼ିଆକୁ ନେଇ ଯାଉଥିଲେ। ସେଠାରେ ତାଙ୍କୁ କ୍ରିକେଟ ଖେଳିବା ଶିଖାଉଥିଲେ। ଜେଜେ ମା’ କିନ୍ତୁ ସିଦ୍ଧାର୍ଥ ପାଠପଢ଼ାରେ ମନ ଦିଅନ୍ତୁ ବୋଲି ଚାହୁଁଥିଲେ। ହେଲେ ସିଦ୍ଧାର୍ଥ ବାପାଙ୍କ ସ୍ବପ୍ନକୁ ପୂରଣ କରିବା ଲାଗି ନିଶ୍ଚିତ କରିସାରିଥିଲେ।

ଭାରତର ପୂର୍ବ କ୍ରିକେଟର ଅଜୟ ଶର୍ମା ସିଦ୍ଧାର୍ଥଙ୍କ କୋଚ୍‌ ହୋଇଥିଲେ। ପରେ ସେ ଉତ୍ତରପ୍ରଦେଶ ଅଣ୍ଡର-୧୬ ଟିମ୍‌ରେ ସ୍ଥାନ ପାଇଥିଲେ। ସେଠାରେ ସେ ଭଲ ପ୍ରଦର୍ଶନ କରିଥିଲେ। ଏହାପରଠାରୁ ସେ ସଫଳତାର ଶିଢ଼ି ଚଢ଼ି ଶେଷରେ ଭାରତ ପାଇଁ ଖେଳିବା ଭଳି ଗୌରବ ଅର୍ଜନ କରିଛନ୍ତି।

ନିଜର ସଫଳତା ନେଇ ସିଦ୍ଧାର୍ଥ କୁହନ୍ତି, ମୋତେ କିଛି ରଣଜୀ ଖେଳାଳିଙ୍କର ନାମ ମନେ ନାହିଁ, ହେଲେ ସେ ମୋତେ କହୁଥିଲେ, ଭାଇ , ଆକୁ କଳା ସୁତା ବାନ୍ଧିଦି, ଏ ଟୋକା ଭାରତ ପାଇଁ ଖେଳିବ। ଆଜି ସେଇ କଥା କାନରେ ବାଜୁଛି ବୋଲି ସେ କହିଛନ୍ତି।

Share