୭୫ ବର୍ଷ ପରେ ଏକାଠି ହେଲେ ଭଉଣୀଭାଇ

ଇସ୍‌ଲାମାବାଦ,୧୧ା୯: ଦେଶ ବିଭାଜନର ୭୫ ବର୍ଷ ପରେ ଜଳନ୍ଧରର ଅମରଜିତ ସିଂ କର୍‌ତାରପୁରର ଗୁରୁଦ୍ୱାରା ଦର୍‌ବାର ସାହିବରେ ତାଙ୍କ ପାକିସ୍ତାନୀ ଭଉଣୀଙ୍କୁ ଭେଟିବା ପରେ ଭାବବିହ୍ବଳ ହୋଇପଡ଼ିଥିଲେ। ୧୯୪୭ରେ ପାକିସ୍ତାନ ଭାରତରୁ ଅଲଗା ହୋଇଯିବା ସହ ତାଙ୍କ ପରିବାର ମଧ୍ୟ ପରସ୍ପରଠାରୁ ଦୂରେଇ ଯାଇଥିଲେ। ଶିଖ୍‌ ଧର୍ମ ଗ୍ରହଣ କରିଥିବା ଅମରଜିତ ଓ ତାଙ୍କର ଜଣେ ଭଉଣୀ ଭାରତରେ ରହିଥିବାବେଳେ ସେମାନଙ୍କ ମୁସଲମାନ ମାତାପିତା ପାକିସ୍ତାନ ଚାଲିଯାଇଥିଲେ। ଗତ ବୁଧବାର କର୍‌ତାରପୁର ଗୁରୁଦ୍ୱାରା ଯାଇଥିବା ଅମରଜିତ୍‌ ପାକିସ୍ତାନରେ ରହୁଥିବା ତାଙ୍କ ମୁସଲମାନ ଭଉଣୀ କୁଲ୍‌ସୁମ୍‌ ଅଖ୍‌ତର(୬୫)ଙ୍କୁ ଭେଟିବା ସମୟରେ ଉଭୟଙ୍କ ଆଖିରେ ଲୋତକ ଭରିଯାଇଥିଲା। ଅମରଜିତ ତାଙ୍କ ଭଉଣୀଙ୍କୁ ଭେଟିବା ଲାଗି ଭିଜା ବଳରେ ଓ୍ବାଘା ସୀମା ଦେଇ ପାକିସ୍ତାନ ଯାଇଥିଲେ। କୁଲ୍‌ସୁମ୍‌ ଫୈସଲାବାଦରୁ ତାଙ୍କ ପୁଅ ଶାହଜାଦ ଅହମଦ ଓ ଅନ୍ୟ ପରିବାର ସଦସ୍ୟଙ୍କ ସହ ଆସିଥିଲେ। କୁଲ୍‌ସୁମ୍‌ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। ତେବେ ଭାରତରେ ତାଙ୍କର ଭଉଣୀଭାଇ ରହିଥିବା କଥା ସେ ପିଲାବେଳୁ ଶୁଣିଆସୁଥିଲେ ବୋଲି କହିଛନ୍ତି।

Share