SI ପ୍ରଭାସିନୀ ଆତ୍ମହତ୍ୟା ଘଟଣାରେ ଆସିଲା ନୂଆମୋଡ଼: ବାପା ଆଣିଲେ ସାଂଘାତିକ ଅଭିଯୋଗ

ପୁରୁଷୋତ୍ତମପୁର, ୨୫।୧୧ (ସବିତା ମିଶ୍ର):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନାର ମହିଳା ସବଇନ୍ସପେକ୍ଟର (ଏସଆଇ) ପ୍ରଭାସିନୀ ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଆସିଛି ନୂଆମୋଡ଼। ମୃତ୍ୟୁର ଚାରି ଦିନ ପରେ ମଙ୍ଗଳବାର ରାତିରେ ପ୍ରଭାସିନୀଙ୍କ ବାପଘର ପକ୍ଷରୁ ଶାଶୁଘର ଲୋକଙ୍କ ନାଁରେ ନିର୍ଯାତନା ଓ ଯୌତୁକ ଦାବି ନେଇ ଥାନାରେ ଅଭିଯୋଗ ହୋଇଛି। ଏହାକୁ ଆଧାର କରି ପୋଲିସ ପ୍ରଭାସିନୀଙ୍କ ସ୍ବାମୀ ସୁନିଲ ବେହେରା, ଶାଶୁ ଓ ଶ୍ୱଶୁରଙ୍କ ନାଁରେ ମାମଲା ରୁଜୁ କରିଛି।

ପ୍ରଭାସିନୀଙ୍କ ବାପା ଭୀମସେନ ସାହୁ ଥାନାରେ ଦେଇଥିବା ଏତଲାରେ ଝିଅର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଏତଲା ଅନୁଯାୟୀ, ୨୦୨୩ ମସିହାରୁ ସୁନିଲ ବେହେରାଙ୍କ ସହ ପ୍ରଭାସିନୀଙ୍କ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ବିଭିନ୍ନ ପ୍ରତିଶ୍ରୁତି ଦେଇ ସୁନିଲ ଗତ ଏପ୍ରିଲ ୨୭ ତାରିଖରେ ପ୍ରଭାସିନୀଙ୍କୁ ବିବାହ କରିଥିଲେ। ବିବାହ ସମୟରେ ୪ ଲକ୍ଷ ଟଙ୍କା ସହ ସୁନା ଓ ଅନ୍ୟାନ୍ୟ ସାମଗ୍ରୀ ଦାବି କରାଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏପରିକି ପ୍ରଭାସିନୀ ବ୍ୟକ୍ତିଗତ ଋଣ କରିବାକୁ ଚାହିଁଥିବା ବେଳେ ଶ୍ୱଶୁର ଏଥିରେ ବାଧା ଦେଇଥିଲେ। ତାଙ୍କ ଦରମାର ୬୦ ପ୍ରତିଶତ ଟଙ୍କା ଏକ ଯୌଥ ବ୍ୟାଙ୍କ ଖାତାରେ ଜମା କରିବାକୁ ମଧ୍ୟ ଚାପ ପକାଯାଉଥିବା ବାପା ଅଭିଯୋଗ କରିଛନ୍ତି। ଏତଲାରେ ଆହୁରି ଦର୍ଶାଯାଇଛି ଯେ, ପ୍ରଭାସିନୀ ଦୁଇ ମାସର ଗର୍ଭବତୀ ଥିବା ସମୟରେ ତାଙ୍କୁ ଏକୁଟିଆ ରହିବାକୁ ବାଧ୍ୟ କରାଯାଉଥିଲା। ଶାଶୁଘର ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁ ନ ଥିବା ମଧ୍ୟ ଅଭିଯୋଗ ହୋଇଛି।

ନିଜର ସ୍ବାସ୍ଥ୍ୟାବସ୍ଥା, ଗର୍ଭାବସ୍ଥା ଓ ପାରିବାରିକ ପରିସ୍ଥିତିକୁ ନେଇ ପ୍ରଭାସିନୀ ଗତ ୧୯ ତାରିଖରେ ଚାକିରିରୁ ଇସ୍ତଫା ଦେବା ପାଇଁ ଲେଖିଥିଲେ। ମାତ୍ର ଶ୍ୱଶୁର ତାଙ୍କୁ ଇସ୍ତଫା ନଦେବାକୁ ଚାପ ପକାଇଥିବା ଅଭିଯୋଗ ହୋଇଛି। ମାନସିକ, ଶାରୀରିକ ଓ ଆର୍ଥିକ ଚାପ ଯୋଗୁଁ ଝିଅ ଏଭଳି ଚରମ ପଦକ୍ଷେପ ନେଇଥିବା ଭୀମସେନ ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗ ଆଧାରରେ ପୁରୁଷୋତ୍ତମପୁର ଥାନା ପୋଲିସ କେସ ନଂ ୮୫୪/୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୮୫, ୧୦୮, ୩(୫) ଏବଂ ଯୌତୁକ ନିଷେଧ ଆଇନର ଧାରା ୪ ଅନୁଯାୟୀ ମାମଲା ରୁଜୁ କରିଛି। ଏହାର ତଦନ୍ତ ଭାର ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକଙ୍କୁ ଦିଆଯାଇଛି।

ଏସଡିପିଓଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାରେ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟରୁ ଆତ୍ମହତ୍ୟା ଜଣାପଡ଼ିଛି। ତେବେ ଏବେ ପ୍ରଭାସିନୀଙ୍କ ବାପା ଆଣିଥିବା ନୂଆ ଅଭିଯୋଗକୁ ନେଇ ପୋଲିସ ପୁରୀର ମୈତ୍ରୀବିହାରସ୍ଥିତ ଶାଶୁଘରକୁ ଯାଇ ତଦନ୍ତ କରିବ। ଘଟଣାର ସମସ୍ତ ଦିଗକୁ ଯାଞ୍ଚ କରିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଜଣେ ମହିଳା ପୋଲିସ ଅଧିକାରୀଙ୍କ ଅସ୍ବାଭାବିକ ମୃତ୍ୟୁ ପରେ ଏବେ ତାଙ୍କ ପରିବାର ପକ୍ଷରୁ ଆସିଥିବା ନିର୍ଯାତନା ଓ ଯୌତୁକ ଦାବି ଅଭିଯୋଗ ଘଟଣାକୁ ଆହୁରି ଗମ୍ଭୀର କରିଛି। ଏହି ଅଭିଯୋଗର ସତ୍ୟତା କେତେ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ପ୍ରଭାସିନୀଙ୍କ ମୃତ୍ୟୁ ପଛର ସମସ୍ତ ରହସ୍ୟ ଉନ୍ମୋଚନ ପାଇଁ ଏବେ ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି।

 

Dharitri – Odisha’s No.1 Odia Daily

 

Share