ମିସ୍‌ ୟୁନିଭର୍ସରେ ଭାରତର ପ୍ରତିନିଧିତ୍ୱ କରିବେ ଶ୍ୱେତା

ନୂଆଦିଲ୍ଲୀ: ଚଳିତ ବର୍ଷ ୭୨ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଶନିବାର ସାନ ସାଲଭାଡର୍‌ର ଜୋସ୍‌ ଆଡୋଲ୍ଫୋ ପିନେଡା ଏରିନାରେ ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାରେ ଭାରତ ପକ୍ଷରୁ ଚଣ୍ଡିଗଡ଼ର ଶ୍ୱେତା ଶାରଦା ପ୍ରତିନିଧିତ୍ୱ କରିବେ, ଯିଏ ଜଣେ ପ୍ରତିଭାଶାଳୀ ମଡେଲ, ଡ୍ୟାନ୍ସର ଏବଂ କୋରିଓଗ୍ରାଫର ଅଟନ୍ତି। ଚଳିତ ବର୍ଷ ପ୍ରତିଯୋଗିତାରେ ୮୪ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ତେବେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଶ୍ୱେତା ପ୍ରଥମରୁ କେତେଗୁଡ଼ିଏ ଡ୍ୟାନ୍ସ ରିଆଲିଟି ଶୋ’ରେ ଅଂଶଗ୍ରହଣ କରିଥିଲେ। ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜନ-୬, ଡ୍ୟାନ୍ସ ଦିୱାନେ, ଡ୍ୟାନ୍ସ ପ୍ଲସ୍‌ ସିଜନ-୬ରେ ଭାଗ ନେଇଥିଲେ। ଏଥିସହ ସେ ଝଲକ୍‌ ଦିଖ୍‌ ଲାଜା ସିଜନ- ୧୦ରେ କୋରିଓଗ୍ରାଫର ଭାବେ ମଧ୍ୟ କାମ କରିଥିଲେ। ଶ୍ୱେତା ମ୍ୟୁଜିକ୍‌ ଭିଡିଓ ‘ମସ୍ତ ଆଖେ’ରେ ଲୋକପ୍ରିୟ ଅଭିନେତା ତଥା ଡ୍ୟାନ୍ସରଙ୍କ ସହିତ ସ୍କ୍ରିନ୍‌ ଶେୟାର କରିଛନ୍ତି। ଅଗଷ୍ଟ ୨୦୨୩ରେ ମିସ୍‌ ଦିଭା ୟୁନିଭର୍ସ ପ୍ରତିଯୋଗିତା ପାଇଁ ୧୬ ପ୍ରତିଯୋଗୀଙ୍କ ମଧ୍ୟରୁ ସେ ବଛାଯାଇଥିଲେ। ପ୍ରତିଯୋଗିତାରେ ଶ୍ୱେତା ମିସ୍‌ ଦିଭା ୟୁନିଭର୍ସ-୨୦୨୩ର ବିଜେତା ହୋଇଥିଲେ। ଏଥିସହ ସେ ମିସ୍‌ ଟ୍ୟାଲେଣ୍ଟେଡ୍‌, ମିସ୍‌ ବଡି ବ୍ୟୁଟିଫୁଲ, ଟପ୍‌ ୫ ମିସ୍‌ ଫଟୋଜେନିକ୍‌ ଏବଂ ଟପ୍‌ ୬ ମିସ୍‌ ର଼୍ୟାମ୍ପ ୱାକ୍‌ ଭାବେ ମଧ୍ୟ ଟ୍ରଫି ଜିତିଥିଲେ। ଶ୍ୱେତାଙ୍କୁ ନିଜ କ୍ୟାରିୟର ପାଇଁ ୧୬ ବର୍ଷ ବୟସରେ ଘର ଛାଡ଼ିବାକୁ ପଡ଼ିଥିଲା।

Share