କଟକ ସହରରୁ ଉଠିଲା ଶଟ୍‌ଡାଉନ

କଟକ ଅଫିସ,୧୩।୭: ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ସୋମବାରଠାରୁ ସ୍ବାଭାବିକ ହୋଇଛି କଟକ ସହର। ଶଟ୍‌ଡାଉନ ଉଠାଇବା ପାଇଁ ରବିବାର କଟକ ମହାନଗର ନିଗମ (ସିଏମ୍‌ସି) ଘୋଷଣା କରାଯାଇଥିଲା। ଏହାସହ ଦୋକାନ ବଜାର ଖୋଲିବା ସମୟରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ସକାଳ ୫ରୁ ସନ୍ଧ୍ୟା ସାଢ଼େ ୮ଟା ଯାଏ ଦୋକାନ ବଜାର ଖୋଲା ରହୁଥିଲା। ବର୍ତ୍ତମାନ ସକାଳ ୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ସପିଂ ମଲ୍‌ ଖୋଲିବା ନେଇ କୌଣସି ନିଷ୍ପତ୍ତି ନ ଥିଲା। ଏବେ କଟକଣା ମାନି ସପିଂ ମଲ୍‌ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟଗୁଡ଼ିକ କାର୍ଯ୍ୟ କରିବ ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି।
କଟକ ମହାନଗର ନିଗମ ଅନ୍ତର୍ଗତ ୩୧ ନଂ ୱାର୍ଡ଼ର ମାଳିସାହିରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ହଟିଥିବା ସିଏମ୍‌ସି ସୂଚନା ଦେଇଛି। ଏହି ସାହିରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ପରେ ୬ଟି ପର୍ଯ୍ୟାୟରେ କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭିଲାନ୍ସ ହୋଇଥିଲା। କିନ୍ତୁ ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଗୋଷ୍ଠୀ ସଂକ୍ରମଣ ବ୍ୟାପି ନ ଥିବା ଯୋଗୁ କଣ୍ଟେନ୍‌ମେଣ୍ଟକୁ ଉଠାଇ ଦିଆଯାଇଛି।