Categories: ଜାତୀୟ

ଭାରତରେ ବନ୍ଦ କରିଦେବୁ ଫେସବୁକ୍‌: କର୍ନାଟକ ହାଇକୋର୍ଟଙ୍କ ଚେତାବନୀ…

ବେଙ୍ଗାଲୁରୁ,୧୫।୬ : କର୍ନାଟକ ହାଇକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ଚେତାବନୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯଦି ଫେସବୁକ ରାଜ୍ୟ ପୋଲିସ ସହ ସହଯୋଗ କରିବାରେ ସକ୍ଷମ ନୁହେଁ, ତେବେ ଏହା ସମଗ୍ର ଭାରତରେ ଏହାର ସେବା ବନ୍ଦ କରିବାକୁ ମଧ୍ୟ ବିଚାର କରିପାରିବ।

କୁହାଯାଇଛି ସୌଦି ଆରବରେ କାରାଗାରରେ ଥିବା ଜଣେ ଭାରତୀୟଙ୍କ ସହ ମାମଲାର ତଦନ୍ତ ସମ୍ପର୍କରେ କୋର୍ଟଙ୍କ ଏହି ମନ୍ତବ୍ୟ ଆସିଛି। ଅଭିଯୋଗ ହୋଇଛି ଫେସବୁକ କର୍ନାଟକ ପୋଲିସ ସହ ଏହି ପ୍ରସଙ୍ଗରେ ସହଯୋଗ କରୁନାହିଁ।

ଡାକସିନା କନ୍ନଡ ଜିଲାର ବିକର୍ନାକାଟେ ନିବାସୀ କବିତାଙ୍କ ଆବେଦନ ଉପରେ ଶୁଣାଣି ବେଳେ ଜଷ୍ଟିସ କୃଷ୍ଣ ଏସ. ଦୀକ୍ଷୀତଙ୍କ ବେଞ୍ଚ ସୋସିଆଲ ମିଡିଆ କମ୍ପାନୀକୁ ଏହି ଚେତାବନୀ ଦେଇଛନ୍ତି। ଏକ ସପ୍ତାହ ମଧ୍ୟରେ କୋର୍ଟରେ ଆବଶ୍ୟକ ସୂଚନା ସହିତ ସମ୍ପୂର୍ଣ୍ଣ ରିପୋର୍ଟ ଉପସ୍ଥାପନ କରିବାକୁ ବେଞ୍ଚ ଫେସବୁକକୁ ନିର୍ଦ୍ଦେଶ ଦେଇଛନ୍ତି।

ବେଞ୍ଚ ଏହା ମଧ୍ୟ କହିଛନ୍ତି ସୌଦି ଆରବରେ ଜଣେ ଭାରତୀୟ ନାଗରିକଙ୍କୁ ବିନା କାରଣରେ ଗିରଫ କରିବା ପ୍ରସଙ୍ଗରେ ଏପର୍ଯ୍ୟନ୍ତ ଆମ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଇଛି ତାହା କେନ୍ଦ୍ର ସରକାର କହିବା ଉଚିତ। ଏହା ସହ ମାଙ୍ଗାଲୁରୁ ପୋଲିସକୁ ତଦନ୍ତ ଜାରି ରଖିବାକୁ ଏବଂ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କର୍ନାଟକ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ପିଟିଶନରେ ଆବେଦନକାରୀ କବିତା କହିଛନ୍ତି ତାଙ୍କ ସ୍ବାମୀ ଶିଲେଶ କୁମାର ଗତ ୨୫ ବର୍ଷ ଧରି ସୌଦି ଆରବରେ ଏକ କମ୍ପାନୀରେ କାମ କରୁଥିବାବେଳେ ସେ ନିଜେ ମାଙ୍ଗାଲୁରୁ ନିକଟ ତାଙ୍କ ଘରେ ରହୁଥିଲେ। କବିତା କହିଛନ୍ତି ତାଙ୍କ ସ୍ବାମୀ ୨୦୧୯ ରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଏବଂ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି) କୁ ସମର୍ଥନ କରି ଏକ ଫେସବୁକ ପୋଷ୍ଟ କରିଥିଲେ। କିନ୍ତୁ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ନାମରେ ନକଲି ପ୍ରୋଫାଇଲ ସୃଷ୍ଟି କରିଥିଲେ ଏବଂ ସୌଦି ଆରବ ଓ ଇସଲାମର ଶାସକଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିଥିଲେ। ଏହି ମାମଲା ଶିଲେଶଙ୍କ ନଜରକୁ ଆସିବା ମାତ୍ରେ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ଏବଂ ସ୍ତ୍ରୀ ଏହି ଘଟଣାରେ ମାଙ୍ଗାଲୁରୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତେବେ ଏହି ସମୟ ମଧ୍ୟରେ ସୌଦି ପୋଲିସ ଶିଲେଶଙ୍କୁ ଗିରଫ କରି ଜେଲରେ ରଖିଥିଲା।

ମାଙ୍ଗାଲୁରୁ ପୋଲିସ ଏହି ଘଟଣାର ଅନୁସନ୍ଧାନ କରି ନକଲି ଫେସବୁକ ଆକାଉଣ୍ଟ ଖୋଲିବା ବିଷୟରେ ଫେସବୁକରୁ ସୂଚନା ମାଗିଥିଲା। କିନ୍ତୁ ପୋଲିସର ଦାବିକୁ ଫେସବୁକ କୌଣସି ପ୍ରତିକ୍ରିୟା ଦେଇ ନ ଥିଲା। ୨୦୨୧ ମସିହାରେ, ଆବେଦନକାରୀ ତଦନ୍ତରେ ବିଳମ୍ବ ସମ୍ପର୍କରେ କର୍ନାଟକ ହାଇକୋର୍ଟରେ ଏକ ଆବେଦନ କରିଥିଲେ।

Share