ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍ର ବେସିନ୍ ରିଜର୍ଭ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି । ଏହି ମ୍ୟାଚ୍ରେ ବ୍ୟାଟର୍ଙ୍କ ପ୍ରଭାବ ଅଧିକ ରହିଥିଲା। ତେବେ ଭାରତୀୟ ଦଳରେ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ନ ମିଳିବା ଚର୍ଚ୍ଚାର ବିଷୟ ହୋଇଥିଲା। ବିଶେଷକରି ସିରାଜଙ୍କୁ ବାଦ୍ ଦେବା ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠିଥିଲା। ଏବେ ଏହାର କାରଣ ସ୍ପଷ୍ଟ କରିଛନ୍ତି ଅଧିନାୟକ ଶୁବମନ ଗିଲ୍।
ମ୍ୟାଚ୍ ଡ୍ର’ ହେବା ପରେ ଖବରଦାତା ସମ୍ମିଳନୀରେ ସିରାଜଙ୍କୁ ଖେଳାଯାଇ ନଥିବା ନେଇ ଗିଲ୍ଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଥିଲେ, ସିରାଜଙ୍କ ବର୍ତ୍ତମାନର ଫର୍ମକୁ ବିଚାରକୁ ନେଇ ଦଳ ଚୟନ କରାଯାଇଥିଲା। ସିରାଜ ଓ ଜାଡେଜା ଖେଳିଥିଲେ ମଧ୍ୟ ମ୍ୟାଚ୍ର ଫଳାଫଳରେ ବିଶେଷ ପରିବର୍ତ୍ତନ ହୋଇନଥାନ୍ତା ବୋଲି ତାଙ୍କର ମତ। ଗିଲ୍ କହିଥିଲେ, “ମହମ୍ମଦ ସିରାଜ ମୋର ବହୁତ ଭଲ ବନ୍ଧୁ। ତାଙ୍କୁ ଦଳରୁ ବାଦ୍ ଦେବା ଏକ କଷ୍ଟକର ନିଷ୍ପତ୍ତି ଥିଲା। ଆମେ ଏକାଠି ବହୁତ କ୍ରିକେଟ୍ ଖେଳିଛୁ । ମୋର ପ୍ରାରମ୍ଭିକ କ୍ରିକେଟ୍ ଦିନରୁ ମୁଁ ତାଙ୍କୁ ଜାଣିଛି।”
ସେ ଆହୁରି କହିଥିଲେ, ଟେଷ୍ଟ ମ୍ୟାଚ୍ ପୂର୍ବରୁ ନିଜ ନିଷ୍ପତ୍ତି ସମ୍ପର୍କରେ ସିରାଜଙ୍କୁ ଜଣାଇ ଦେଇଥିଲେ। ସିରାଜ ମଧ୍ୟ ଏହାକୁ ବୁଝିଥିଲେ। ପ୍ରତ୍ୟେକ ଖେଳାଳିଙ୍କ କ୍ୟାରିୟରରେ ଏପରି ସମୟ ଆସେ, ଯେତେବେଳେ ସେ ନିଜର ସର୍ବୋଚ୍ଚ ଫର୍ମରେ ନଥାନ୍ତି। ତେଣୁ ତାଙ୍କର ବର୍ତ୍ତମାନର ଫର୍ମକୁ ଆଧାର କରି ଦଳ ଚୟନ କରାଯାଇଥିଲା।
ପ୍ରଥମ ଟେଷ୍ଟ ଡ୍ର’ ହେବାକୁ ନେଇ ଗିଲ୍ ନିରାଶା ପ୍ରକାଶ କରିଥିଲେ। ତାଙ୍କ କହିବା ଅନୁସାରେ, ଦଳ ଯେଉଁ ଫଳାଫଳ ଆଶା କରିଥିଲା, ତାହା ମିଳିପାରିଲା ନାହିଁ । ଆଜିକାଲି ଟେଷ୍ଟ ମ୍ୟାଚ୍ ଡ୍ର’ ହେବା ଏକ ବିରଳ ଘଟଣା ଏବଂ ଭାରତୀୟ ଦଳ ମଧ୍ୟ ଏଭଳି ଫଳାଫଳରେ ଅଭ୍ୟସ୍ତ ନୁହେଁ ବୋଲି ସେ କହିଥିଲେ । ପିଚ୍ରେ ସ୍ପିନରଙ୍କ ତୁଳନାରେ ଦ୍ରୁତ ବୋଲରମାନେ ଅଧିକ ପ୍ରଭାବ ପକାଇପାରି ନଥିଲେ। ବଲ୍ରେ ଆଶାନୁରୂପ ଟର୍ଣ୍ଣ ମିଳିନଥିଲା। ପଞ୍ଚମ ଦିନରେ ମଧ୍ୟ ଦ୍ରୁତ ବୋଲରଙ୍କୁ ପିଚ୍ରୁ ବିଶେଷ ସହାୟତା ମିଳିନଥିଲା ବୋଲି ଗିଲ୍ କହିଥିଲେ।