ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ତିରୁବନନ୍ତପୁରମ୍‌ର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଶୁକ୍ରବାର ଅଭ୍ୟାସ ସେସନ୍ ବେଳେ ଟିମ୍‌ର ଅଧିନାୟକ ଶୁଭମନ ଗିଲ୍ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଏକ ବାଉନ୍ସର ବଲ୍‌ରେ ଆହତ ହୋଇଛନ୍ତି। ବଲ୍‌ଟି ସିଧାସଳଖ ଗିଲ୍‌ଙ୍କ ଡାହାଣ କାହୁଡ଼ି (କୋହନୀ)ରେ ବାଜିଥିଲା, ଯାହା ପରେ ସେ ଅତ୍ୟନ୍ତ ଯନ୍ତ୍ରଣା ଅନୁଭବ କରି ନେଟ୍ସ ଛାଡ଼ି ବାହାରକୁ ଚାଲିଯାଇଥିଲେ।

ଶୁଭମନ ଗିଲ୍ ଆହତ ହେବା ମାତ୍ରେ ତୁରନ୍ତ ଫିଜିଓଙ୍କୁ ପଡ଼ିଆକୁ ଡକାଯାଇଥିଲା। ପ୍ରାୟ ୨୦ ମିନିଟ୍ ଧରି ମେଡିକାଲ ଟିମ୍‌ର ପ୍ରତ୍ୟକ୍ଷ ତଦାରଖରେ ରହିବା ପରେ ତାଙ୍କ ଡାହାଣ କାହୁଡ଼ିରେ ପଟ୍ଟି ବନ୍ଧାଯାଇଥିଲା। ଏହି ସମୟରେ ଡଗ୍‌ଆଉଟ୍‌ରେ ବିଶ୍ରାମ ନେଉଥିବା ବେଳେ ବରିଷ୍ଠ ଖେଳାଳି ରୋହିତ ଶର୍ମା ନିଜେ ଗିଲ୍‌ଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ତେବେ ଆଶ୍ୱସ୍ତିର କଥା ହେଉଛି, ଯନ୍ତ୍ରଣା କମିବା ପରେ ସେସନ୍ ଶେଷ ହେବା ପୂର୍ବରୁ ଗିଲ୍ ପୁଣି ଥରେ ନେଟ୍ସକୁ ଫେରି ଥ୍ରୋ-ଡାଉନ୍ ବଲ୍‌ର ସାମ୍ନା କରିଥିଲେ।

ଅଧିନାୟକ ଆହତ ହେବାର କିଛି ସମୟ ପୂର୍ବରୁ ଅଭିଜ୍ଞ ଯୋଡ଼ି ରୋହିତ ଶର୍ମା ଏବଂ ବିରାଟ କୋହଲି ପାଖାପାଖି ୨୦ ମିନିଟ୍ ଧରି ପାଖାପାଖି ଥିବା ନେଟ୍ସରେ ଏକାଠି ବ୍ୟାଟିଂ ଅଭ୍ୟାସ କରିଥିଲେ। ଆଫଗାନିସ୍ତାନ ବିପକ୍ଷ ପୂର୍ବ ସିରିଜ୍‌ରୁ ବାଦ୍ ପଡ଼ିବା ପରେ କୋହଲି ସମ୍ପୂର୍ଣ୍ଣ ଲୟରେ ନଜର ଆସିଥିଲେ। ଦୁହେଁ ଭାରତୀୟ ବୋଲରଙ୍କ ସହ ସ୍ଥାନୀୟ ନେଟ୍ ବୋଲରଙ୍କ ବଲ୍‌ରେ ଦମଦାର ଶଟ୍‌ସ ଲଗାଇଥିଲେ।

ଟିମ୍‌ର ବୋଲିଂ କୋଚ୍ ମୋର୍ନେ ମୋର୍କେଲ ଡ୍ରେସିଂ ରୁମ୍‌ର ଏହି ପରିବେଶକୁ ଖୋଲାଖୋଲି ଭାବେ ପ୍ରଶଂସା କରିଛନ୍ତି। ମୋର୍କେଲ କହିଛନ୍ତି, “ଶୁଭମନ ଏପର୍ଯ୍ୟନ୍ତ ନିଜ ଅଧିନାୟକତ୍ୱରେ ଚମତ୍କାର କାମ କରିଛନ୍ତି, କିନ୍ତୁ ମୁଁ ସବୁବେଳେ ଦଳରେ ସିନିୟର ଖେଳାଳିଙ୍କ ଭୂମିକାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନେକରେ। ଅନେକ ଯୁବ ଖେଳାଳି କୌଣସି ନିର୍ଦ୍ଦିଷ୍ଟ ସିନିୟରଙ୍କ ସହ କଥା ହେବାକୁ ଅଧିକ ସହଜ ମନେକରନ୍ତି। ଆମେ ଭାଗ୍ୟବାନ୍ ଯେ ଆମ ପାଖରେ ରୋହିତ ଏବଂ ବିରାଟଙ୍କ ଭଳି ଅଭିଜ୍ଞ ଦିଗ୍ଗଜଙ୍କ ସହଯୋଗ ରହିଛି।”

Dharitri – Odisha’s No.1 Odia Daily

Share