ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା କ୍ରିକେଟ୍ ଷ୍ଟାଡିୟମରେ ସେ ଇତିହାସ ରଚିଛନ୍ତି । ସେ ଦିନିକିଆ କ୍ରିକେଟ୍ରେ ଦ୍ରୁତତମ ୩୫୦୦ ରନ୍ ପୂରଣ କରିଛନ୍ତି।
ଗିଲ ମାତ୍ର ୬୮ଟି ଇନିଂସରେ ୩୫୦୦ ଦିନିକିଆ ରନ୍ ପୂରଣ କରି ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟର ହାଶିମ ଆମଲାଙ୍କ ରେକର୍ଡ ଭାଙ୍ଗିଛନ୍ତି । ଆମଲା ଏହି ମାଇଲଷ୍ଟୋନ୍ରେ ପହଞ୍ଚିବା ପାଇଁ ୬୯ଟି ଇନିଂସ ଖେଳିଥିଲେ। ଏହା ସହ ଗିଲ ଭାରତ ପାଇଁ ଦିନିକିଆରେ ୩୫୦୦ କିମ୍ବା ତା’ଠାରୁ ଅଧିକ ରନ୍ କରିଥିବା ୧୮ତମ ବ୍ୟାଟର ହୋଇଛନ୍ତି। ଏହି ଉପଲବ୍ଧି ସହ ସେ ପୂର୍ବତନ ଭାରତୀୟ ବ୍ୟାଟର ଦିଲୀପ ଭେଙ୍ଗସରକରଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ଏହି ମ୍ୟାଚ୍ରେ ଗିଲ ଭାରତୀୟ ମାଟିରେ ମଧ୍ୟ ନିଜର ୨୦୦୦ ଦିନିକିଆ ରନ୍ ପୂରଣ କରିଛନ୍ତି ।
ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜର ଡେସମଣ୍ଡ ହେନ୍ସଙ୍କ ନାମରେ ଥିଲା, ଯିଏକି ୱେଷ୍ଟଇଣ୍ଡିଜରେ ୩୬ଟି ଇନିଂସରେ ୨,୦୦୦ ରନ୍ ପୂରଣ କରିଥିଲେ । ଏହି ତାଲିକାରେ କ୍ୱିଣ୍ଟନ୍ ଡି କକ୍ ୩୭ଟି ଇନିଂସ ସହ ତୃତୀୟ ସ୍ଥାନରେ ଥିବାବେଳେ ହାସିମ୍ ଅମଲା ୩୮ଟି ଇନିଂସ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି ।