ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଦମ୍ଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ। ଆକ୍ରମଣାତ୍ମକ ଅନ୍ଦାଜରେ ବ୍ୟାଟିଂ କରି ମାତ୍ର ୬୬ଟି ବଲ୍ରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି ସେ। ସବୁଠାରୁ ଖାସ କଥା ହେଉଛି, ଛକା ମାରି ୫୦ ରନ୍ରେ ପହଞ୍ଚିଥିଲେ ଗିଲ। ନ୍ୟୁଜିଲାଣ୍ଡ ମାଟିରେ ଟେଷ୍ଟ ଅଧିନାୟକ ଭାବେ ନିଜର ପ୍ରଥମ ଇନିଂସରେ ହିଁ ସେ ଏହି ସଫଳତା ହାସଲ କରିଛନ୍ତି। ଏହା ସହ ତାଙ୍କ ନାଁରେ ଯୋଡ଼ି ହୋଇଛି ଏକ ବିରଳ ରେକର୍ଡ।
ଗିଲ ବ୍ୟାଟିଂ କରିବାକୁ ଆସିବା ବେଳକୁ ଭାରତୀୟ ଦଳ ୨ଟି ଉଇକେଟ ହରାଇ ୨୯୫ ରନ ସଂଗ୍ରହ କରିସାରିଥିଲା। ଦଳର ମଜଭୁତ ସ୍ଥିତିର ଫାଇଦା ଉଠାଇ ଗିଲ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ଚାପ ପକାଇଥିଲେ। ତାଙ୍କ ଏହି ଅର୍ଦ୍ଧଶତକ ସହ ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ ଟେଷ୍ଟ ଅଧିନାୟକଙ୍କ ଅର୍ଦ୍ଧଶତକ ଦେଖିବା ପାଇଁ ୧୨ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଗିଲଙ୍କ ପୂର୍ବରୁ ୨୦୧୪ରେ ମହେନ୍ଦ୍ର ସିଂ ଧୋନୀ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ ଟେଷ୍ଟ ଅଧିନାୟକ ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ।
ଗିଲଙ୍କ ଏହି ଅର୍ଦ୍ଧଶତକ ସହ ଭାରତୀୟ ଟେଷ୍ଟ କ୍ରିକେଟ୍ରେ ଏକ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। SENA ଦେଶରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ରେ ଗୋଟିଏ ଇନିଂସରେ ପ୍ରଥମ ଥର ପାଇଁ ଭାରତର ଟପ-୪ ବ୍ୟାଟର୍ ୫୦ କିମ୍ବା ତା’ଠାରୁ ଅଧିକ ରନ କରିବାରେ ସଫଳ ହୋଇଛନ୍ତି। ଏହି ଐତିହାସିକ ଉପଲବ୍ଧିରେ ଯୋଗଦାନ ଦେଇଛନ୍ତି ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ଦେବଦତ୍ତ ପଡ଼ିକଲ ଓ ଶୁବମନ ଗିଲ। ଏହି ଚାରି ଜଣ ବ୍ୟାଟର୍ ନିଜ ନିଜର ଦମ୍ଦାର ପ୍ରଦର୍ଶନ ବଳରେ ଭାରତୀୟ ଟେଷ୍ଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି।
ୱେଲିଂଟନ ଟେଷ୍ଟରେ ଭାରତର ଟପ-୪ ବ୍ୟାଟରଙ୍କ ପ୍ରଦର୍ଶନ
୧.ଯଶସ୍ବୀ ଜୟସ୍ବାଲ: ୮୫ ରନ
୨.କେଏଲ ରାହୁଲ: ୧୩୬ ରନ
୩.ଦେବଦତ୍ତ ପଡ଼ିକଲ:୮୦ ରନ
୪.ଶୁବମନ ଗିଲ: ୫୦ରୁ ଅଧିକ ରନ
ଭାରତୀୟ ଦଳର ଟପ-୪ ବ୍ୟାଟରଙ୍କ ଏଭଳି ପ୍ରଦର୍ଶନ ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳର ସ୍ଥିତିକୁ ଆହୁରି ମଜଭୁତ କରିଛି। ଏହା ସହ ଅଧିନାୟକ ଗିଲ ନିଜର ନେତୃତ୍ୱ ସହ ବ୍ୟାଟିଂରେ ମଧ୍ୟ ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି।