Categories: ଖେଳ

ଆର୍‌ଆର୍‌ଆର୍‌ କ୍ଲବରେ ସାମିଲ ହେଲେ ଶୁଭମନ ଗିଲ୍‌

ଅହମ୍ମଦାବାଦ,୧୧।୩: ଭାରତୀୟ କ୍ରିକେଟର ଭବିଷ୍ୟତ ତାରକା ଭାବରେ ବିବେଚିତ ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦେଖିବାକୁ ମିଳିଛି। ଏଠାରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଗିଲ୍‌ ଶତକ ହାସଲ କରିଛନ୍ତି। ଏହା ହେଉଛି ଗିଲଙ୍କ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ଶତକ ଏବଂ ଭାରତୀୟ ମାଟିରେ ପ୍ରଥମ ଟେଷ୍ଟ ଶତକ। ଅହମ୍ମଦାବାଦ ଟେଷ୍ଟରେ ଶତକ ମାରି ଗିଲ୍‌ ସ୍ବତନ୍ତ୍ର ଆର୍‌ଆର୍‌ଆର୍‌ କ୍ଲବ (ରୋହିତ, ରାଇନା, ରାହୁଲ)ରେ ପ୍ରବେଶ କରିଛନ୍ତି। ରୋହିତ ଶର୍ମା, ସୁରେଶ ରାଇନା ଏବଂ କେ.ଏଲ ରାହୁଲଙ୍କ ପରେ ଗିଲ ଚତୁର୍ଥ ଭାରତୀୟ ଖେଳାଳି ହୋଇପାରିଛନ୍ତି।

୨୦୨୩ ବର୍ଷ ଆରମ୍ଭରୁ ଗିଲ୍‌ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି। ସେ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ୫ ଶତକ ହାସଲ କରିଛନ୍ତି। ଯେଉଁଥିରେ ଟି୨୦ରେ ଏକ ଶତକ, ଦିନିକିଆରେ ୨ ଶତକ ଏବଂ ଟେଷ୍ଟରେ ୧ ଶତକ ଅନ୍ତର୍ଭୁକ୍ତ ରହିଛି। ଯେବେ ବି ସେ ଟିମ୍‌ ଇଣ୍ଡିଆ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି, ସେ ସେହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇ ଆସୁଛନ୍ତି ।

୨୦୨୩ରେ ଗିଲ ଅନ୍ତର୍ଜାତୀୟ କ୍ରିକେଟରେ ଏକ ହଜାର ରନ ପୂରଣ କରିବାର ନିକଟତର ହୋଇଛନ୍ତି। ସେ ୧୪ ମ୍ୟାଚ୍‌ର ୧୫ ଇନିଂସରେ ମୋଟ ୯୨୩ ରନ ସଂଗ୍ରହ କରିଛନ୍ତି, ସେଥିମଧ୍ୟରୁ ୨ ଟେଷ୍ଟରେ ୧୫୪ ରନ୍‌, ୬ ଦିନିକିଆରେ ୫୬୭ ରନ୍‌ ଏବଂ ଚଳିତ ବର୍ଷ ୬ ଟି୨୦ ରେ ୨୦୨ ରନ୍‌ ସଂଗ୍ରହ କରିଛନ୍ତି। ଅହମ୍ମଦାବାଦ ଟେଷ୍ଟର ଦ୍ୱିତୀୟ ଇନିଂସରେ ଗିଲ୍‌ ହଜାରେ ରନ୍‌ କରିପାରନ୍ତି ବୋଲି ଆଶା କରାଯାଉଛି।

Share