ଯୁବପିଢ଼ିଙ୍କ ପ୍ରେରଣା ଶୁଭଲକ୍ଷ୍ମୀ

ଢେଙ୍କାନାଳ ଅଫିସ, ୧୯।୧୧: ଉଚ୍ଚଶିକ୍ଷା ପାଇଁ ରହିଛି ଯଥେଷ୍ଟ ଆଗ୍ରହ। ହେଲେ ଏଥିରେ ବାଧକ ସାଜିଛି ଅର୍ଥ। ଦିନ ମଜୁରିଆ ବାପାଙ୍କ ରୋଜଗାରରେ ଘର ଚଳାଇବା ନିଅଣ୍ଟ ପଡୁଥିବାବେଳେ ନିଜ ସ୍ବପ୍ନର ଉଡ଼ାଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ଓଡ଼ାପଡ଼ା ବ୍ଲକ ସିମିନଇ ଗ୍ରାମର ଶୁଭଲକ୍ଷ୍ମୀ ପରିଡ଼ା। ଭବିଷ୍ୟତରେ ଆଇଏଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରଖିଥିବା ଏହି ମେଧାବୀ ଛାତ୍ରୀ ଜଣକ ଶୁକ୍ରବାର ଢେଙ୍କାନାଳରେ ଆରମ୍ଭ କରିଛନ୍ତି ଅର୍ଗାନିକ୍‌ ଚା ଦୋକାନ। ଶୁଭଲକ୍ଷ୍ମୀଙ୍କ ଏଭଳି ନିଷ୍ଠା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଥିବାବେଳେ ତାଙ୍କୁ ସବୁମହଲରୁ ଛୁଟିଛି ପ୍ରଶଂସାର ସୁଅ।
ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ କଳା ଶ୍ରେଣୀ ଛାତ୍ରୀ ଶୁଭଲକ୍ଷ୍ମୀ। ବାପା ପ୍ରମୋଦ ପରିଡ଼ା ଜଣେ ଶ୍ରମିକ। ଶୁଭଲକ୍ଷ୍ମୀଙ୍କ ବଡ଼ ଭଉଣୀଙ୍କ ବିବାହ ହୋଇସାରିଥିବାବେଳେ ଘରେ ଆଉ ଜଣେ ଭାଇ ଅଛନ୍ତି। ଉଚ୍ଚଶିକ୍ଷା ପାଇଁ ଆଗ୍ରହ ଥିଲେ ମଧ୍ୟ ଏଥିରେ ଅର୍ଥ ସାଜିଛି ଅନ୍ତରାୟ। ତଥାପି ହାରିନାହାନ୍ତି ସେ। ‘ନିଜେ କଷ୍ଟକରି ରୋଜଗାର କରିବି, ପାଠପଢ଼ି ଆଇଏଏସ୍‌ ଅଫିସର ହେବି’ ଏଭଳି ଜିଦ୍‌ରେ ଅଟଳ ରହି ଶୁଭଲକ୍ଷ୍ମୀ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାପାର୍ଶ୍ୱରେ ଆରମ୍ଭ କରିଛନ୍ତି ଅର୍ଗାନିକ ଚା ଦୋକାନ। ଗୋଲାପ ପାଖୁଡ଼ା, ତେଜପତ୍ର, ଗୁଜୁରାତି, ଆମ୍ବକଷିଆ ଅଦା ସହ ସ୍ବତନ୍ତ୍ର ମସଲାରେ ପ୍ରସ୍ତୁତ ଏହି ଚା ପିଇବାକୁ ପ୍ରଥମ ଦିନରୁ ତାଙ୍କ ଟି’ ଷ୍ଟଲ୍‌ ପାଖରେ ଭିଡ଼ ଜମିଥିଲା। ଗୋଟେ କପ୍‌ ଚା’ର ମୂଲ୍ୟ ୮ ଟଙ୍କା ଥିବାବେଳେ ଆଗାମୀ ଦିନରେ ଭିନ୍ନ ସ୍ବାଦର ଚା ପରଷିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ମହିଳା ସଶକ୍ତୀକରଣରେ ସମଗ୍ର ରାଜ୍ୟରେ ଢେଙ୍କାନାଳ ଆଗୁଆ ଥିବାବେଳେ ଶୁଭଲକ୍ଷ୍ମୀ ଏହାର ନିଚ୍ଛକ ଉଦାହରଣ ବୋଲି ସାଧାରଣରେ ମତପ୍ରକାଶ ପାଇଛି।