ରାସ୍ତାରେ ଶୋଇ ଶୋଇ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଯାତ୍ରା

ତିଗିରିଆ,୭।୨(ଡି.ଏନ.ଏ.): ଶ୍ରୀକ୍ଷେତ୍ରକୁ ଯାଇ ଚତୁର୍ଦ୍ଧା ଦାରୁବ୍ରହ୍ମଙ୍କୁ ଦର୍ଶନ କରିବାର ଅଭିଳାଷରେ ଜଣେ ଭକ୍ତ ରାସ୍ତାରେ ଶୋଇ ଶୋଇ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ରବିବାର ପୁରୁଣାକଟକ-ସମ୍ବଲପୁର ରାସ୍ତାର କଲରାଗଡ଼ଠାରେ ସେ ଏଭଳି ଢଙ୍ଗରେ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା। ଭକ୍ତ ଜଣଙ୍କ ହେଉଛନ୍ତି ରାଜସ୍ଥାନର ରାମହଂସ ଦାଶ (୬୮)। ତାଙ୍କର ଏହି ଯାତ୍ରା ଆରମ୍ଭ ହେବା ରବିବାରକୁ ୯ ମାସ ୯ଦିନ ହୋଇଥିବା ସେ କହିଛନ୍ତି। ପ୍ରଭୁଙ୍କ ଦର୍ଶନ ସହ ସମାଜର ମଙ୍ଗଳ କାମନା ଏବଂ ଭଗବାନଙ୍କ ପ୍ରତି ମଣିଷର ବିଶ୍ୱାସ ସୃଷ୍ଟି କରିବାକୁ ଏଭଳି ଏକ ଅଭିନବ ଶ୍ରୀକ୍ଷେତ୍ର ଯାତ୍ରା ଭକ୍ତଙ୍କ ପ୍ରଗାଢ଼ ନିଷ୍ଠାକୁ ପ୍ରଦର୍ଶନ କରୁଥିଲା। ତାଙ୍କର ଏହି ଯାତ୍ରା ସମୟରେ ସ୍ଥାନୀୟ ଗୋଡ଼ିଝରିଆ ଗ୍ରାମର ଯୋଗେଶ୍ୱରୀ କ୍ଲବ, ଜୟ ଆଠଗଡ଼ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଓ ଆତିଥେୟତା ପ୍ରଦାନ କରାଯାଇଥିଲା। ଜୟ ଆଠଗଡ଼ ସଙ୍ଗଠନର ମୁଖ୍ୟ ପ୍ରକାଶ କୁମାର ସାହୁଙ୍କ ସମେତ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ମଧ୍ୟରେ ଭାବଗ୍ରାହୀ ସାହୁ, ପ୍ରତାପ ସାହୁ, ଭଗବାନ ବେହେରା, ତପନ ସାହୁ, ମଳୟ ସାହୁ, ବିକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଭକ୍ତ ରାମହଂସ ଦିନକୁ ୮ରୁ ୧୦ କିମି ଏହିଭଳି ଯାତ୍ରା କରିଥାନ୍ତି ଏବଂ ସନ୍ଧ୍ୟା ହେଲେ ମନ୍ଦିର ସ୍ଥାନ ଦେଖି ଆଶ୍ରୟ ନେଇଥାନ୍ତି ବୋଲି ସେ କହିଛନ୍ତି।