ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ତଥାପି, ଟିମ୍ ଇଣ୍ଡିଆର ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ଅକ୍ଟୋବର-ନଭେମ୍ବର ମାସରେ ନିର୍ଦ୍ଧାରିତ ହୋଇଛି, ଯେତେବେଳେ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ। ସେଠାରେ ସେମାନେ ୫ଟି ଦିନିକିଆ, ୫ଟି ଟି-୨୦ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ତେବେ, ଏହି ଗସ୍ତର କାର୍ଯ୍ୟସୂଚୀ ଏପରି ଏକ ପରିସ୍ଥିତି ସୃଷ୍ଟି କରିଛି ଯେଉଁଥିରେ ଟିମ୍ ଇଣ୍ଡିଆକୁ ସିରିଜ୍ ମଝିରେ ଅଧିନାୟକ ପରିବର୍ତ୍ତନ କରିବାକୁ ପଡ଼ିପାରେ ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି।
ରିପୋର୍ଟ ଅନୁସାରେ, ଏହି ଘନିଷ୍ଠ ସିଡ୍ୟୁଲ୍ ଯୋଗୁଁ ODI ସିରିଜ୍ ମଝିରେ ଭାରତୀୟ ଦଳର ନେତୃତ୍ୱରେ ପରିବର୍ତ୍ତନ ହୋଇପାରେ। ବର୍ତ୍ତମାନ ଭାରତର ODI କ୍ୟାପ୍ଟେନ୍ ହେଉଛନ୍ତି ଶୁଭମନ ଗିଲ୍ ଏବଂ ଶ୍ରେୟସ ଆୟର ଉପକ୍ୟାପ୍ଟେନ୍। ବିସିସିଆଇର ନିକଟତମ ଘୋଷଣାରେ ମଧ୍ୟ ଏହି ଦାୟିତ୍ୱ ନିଶ୍ଚିତ ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍ର ଶେଷ ମ୍ୟାଚ୍ ନଭେମ୍ବର ୧୫ରେ ଖେଳାଯିବ । ଏହାର ମାତ୍ର ୪ ଦିନ ପରେ, ନଭେମ୍ବର ୧୯ରୁ ୱେଲିଂଟନ୍ରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଅର୍ଥାତ୍ ODI ସିରିଜ୍ ଶେଷ ହେବା ପରେ ଟେଷ୍ଟ ପୂର୍ବରୁ ଦଳକୁ ମିଳିବ ଅତ୍ୟନ୍ତ କମ୍ ସମୟ।ଏହି କାରଣରୁ ଗିଲ୍ଙ୍କ ସମେତ ଜସପ୍ରୀତ ବୁମ୍ରା, କେଏଲ୍ ରାହୁଲ ଏବଂ ମହମ୍ମଦ ସିରାଜଙ୍କ ଭଳି ଟେଷ୍ଟ ଦଳର ସମ୍ଭାବ୍ୟ ଖେଳାଳିଙ୍କୁ ରେଡ୍-ବଲ୍ କ୍ରିକେଟ୍ ପାଇଁ ପ୍ରସ୍ତୁତିର ସମୟ ଦେବା ନେଇ ଆଲୋଚନା ହେଉଛି।
ଏକ ରିପୋର୍ଟର ଦାବି ଅନୁସାରେ, ଗିଲ୍ ଶେଷ ଦୁଇଟି ODIରୁ ବିଶ୍ରାମ ନେଇ ଟେଷ୍ଟ ପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିପାରନ୍ତି । ଏପରି ହେଲେ ଶ୍ରେୟସ ଆୟରଙ୍କୁ ଶେଷ ଦୁଇ ମ୍ୟାଚ୍ରେ ଦଳର ନେତୃତ୍ୱ ଦିଆଯାଇପାରେ। ତେବେ ଏହି ପରିବର୍ତ୍ତନ ଏପର୍ଯ୍ୟନ୍ତ ଅଧିକାରିକ ଭାବେ ଘୋଷଣା ହୋଇନାହିଁ। ଏହା ଏକ ରିପୋର୍ଟ ଆଧାରିତ ସମ୍ଭାବନା।
ରିପୋର୍ଟ ଅନୁସାରେ, ODI ଓ ଟେଷ୍ଟ ସିରିଜ୍ ମଧ୍ୟରେ କମ୍ ବ୍ରେକ୍ ଥିବାରୁ କୋଚିଂ ଷ୍ଟାଫ୍ଙ୍କୁ ମଧ୍ୟ ଦୁଇ ଭାଗରେ ବାଣ୍ଟାଯାଇପାରେ । ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ତୃତୀୟ ODI ପରେ ଟେଷ୍ଟ ଦଳ ସହ ଯୋଗ ଦେଇପାରନ୍ତି। ତାଙ୍କ ସହ କିଛି ସହାୟକ କୋଚ୍ ମଧ୍ୟ ଟେଷ୍ଟ ଦଳ ସହ ରହିବାର ସମ୍ଭାବନା ରହିଛି। ନ୍ୟୁଜିଲାଣ୍ଡ ଦୌରାରେ ଭାରତ ୫ଟି T20I, ୫ଟି ODI ଓ ୨ଟି ଟେଷ୍ଟ ଖେଳିବ।