ବଡ଼ ରେକର୍ଡ କରିଦେଲେ ଶ୍ରେୟସ ଆୟର: ରୋହିତ ଶର୍ମାଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତୀୟ ଦଳକୁ ଚତୁର୍ଥ ମ୍ୟାଚ୍‌ରେ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମ ୩ଟି ମ୍ୟାଚ ଜିତି ସିରିଜ ହାତେଇଥିବା ଟିମ ଇଣ୍ଡିଆ ଚତୁର୍ଥ ମ୍ୟାଚ୍‌ରେ ୮୭ ରନ୍‌ରେ ପରାସ୍ତ ହୋଇଛି। ତେବେ ଏହି ପରାଜୟ ମଧ୍ୟରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ଏହି ମାମଲାରେ ସେ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି।

ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟସ ଜିତି ଆୟର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ଫାଇଦା ଉଠାଇ ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ୨୫୯ ରନ୍‌ର ବିଶାଳ ସ୍କୋର କରିଥିଲା। ଏହା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ଭାରତ ବିପକ୍ଷରେ କୌଣସି ଦଳର ସର୍ବାଧିକ ସ୍କୋର। ଜବାବରେ ଭାରତୀୟ ଦଳ ୧୭୨ ରନ୍‌ରେ ସୀମିତ ରହିଥିଲା। ଏହି ମ୍ୟାଚ୍‌ରେ ଅୟର ୨୨ ରନ କରିଥିଲେ।
ଶ୍ରେୟସ ଅୟର ୨୦୨୬ ମସିହାରେ ଭାରତୀୟ ଟି-୨୦ ଅଧିନାୟକ ଭାବେ ସର୍ବାଧିକ ରନ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ସେ ଏହି ବର୍ଷ ୨୫ଟି ମ୍ୟାଚ ଖେଳି ୩୧.୭୧ ହାରରେ ମୋଟ ୬୬୬ ରନ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି। ଏହା ପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଥିଲା। ରୋହିତ ୨୦୨୨ରେ ଅଧିନାୟକ ଭାବେ ୨୯ଟି ମ୍ୟାଚ ଖେଳି ୨୪.୨୯ ହାରରେ ୬୫୬ ରନ କରିଥିଲେ। ଏବେ ଅୟର ୬୬୬ ରନ ସହ ତାଙ୍କୁ ପଛରେ ପକାଇଛନ୍ତି।

ଗୋଟିଏ ବର୍ଷରେ ସର୍ବାଧିକ ଟି-୨୦ ରନ କରିଥିବା ଭାରତୀୟ ଅଧିନାୟକ

– ଶ୍ରେୟସ ଅୟର ୬୬୬ ରନ (୨୦୨୬)
– ରୋହିତ ଶର୍ମା ୬୫୬ ରନ (୨୦୨୨)
– ସୂର୍ଯ୍ୟକୁମାର ଯାଦବ ୪୮୪ ରନ (୨୦୨୬)
– ବିରାଟ କୋହଲି ୪୬୬ ରନ (୨୦୧୯)
– ରୋହିତ ଶର୍ମା ୩୭୮ ରନ (୨୦୨୪)

ବ୍ୟାଟିଂରେ ନୂଆ ରେକର୍ଡ କରିଥିଲେ ମଧ୍ୟ ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କ ପାଇଁ ଏହି ପରାଜୟ ଏକ ଚିନ୍ତାର ବିଷୟ। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୨୩ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଥିବାବେଳେ ୯ଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି।

ଏହି ପରାଜୟ ସହ ସେ ଭାରତୀୟ ଟି-୨୦ ଅଧିନାୟକଙ୍କ ମଧ୍ୟରେ ସର୍ବାଧିକ ମ୍ୟାଚ ହାରିବା ତାଲିକାରେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ତେବେ ଭାରତ ପ୍ରଥମ ୩ଟି ମ୍ୟାଚ ଜିତି ସିରିଜ ନିଜ ନାମରେ କରିସାରିଛି। ଏବେ ଶେଷ ମାଚ୍‌ରେ ବିଜୟ ସହ ସିରିଜ ଶେଷ କରିବା ଅୟରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିବ।

 

Dharitri – Odisha’s No.1 Odia Daily

 

Share