ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର ଫର୍ମରେ ଥିବା ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଗୋଟିଏ ହେଲେ ମଧ୍ୟ ମ୍ୟାଚ୍ରେ ସୁଯୋଗ ନ ମିଳିବାକୁ ନେଇ ସମାଲୋଚନା ଜୋର ଧରିଛି। ଏଭଳି ସ୍ଥିତିରେ ବୁଧବାର (୧ ଜୁଲାଇ)ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ୍ ପୂର୍ବରୁ ବୈଭବଙ୍କ ଡେବ୍ୟୁକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ତେବେ ଏହାକୁ ନେଇ ଅଧିନାୟକ ଶ୍ରେୟସ ଆୟର ଯେଉଁ ବୟାନ ଦେଇଛନ୍ତି, ତାହା କ୍ରିକେଟ୍ ପ୍ରେମୀଙ୍କ ଉତ୍କଣ୍ଠାକୁ ଆହୁରି ବଢ଼ାଇ ଦେଇଛି।
ଡରହାମର ଚେଷ୍ଟର-ଲେ-ଷ୍ଟ୍ରିଟ୍ଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ଅଭ୍ୟାସ ସେସନରେ ବୈଭବ ସୂର୍ଯ୍ୟବଂଶୀ ନେଟ୍ସରେ ପ୍ରବଳ ଝାଳ ବୁହାଇବା ସହ ଦଳର ପ୍ରମୁଖ ବୋଲରଙ୍କୁ ସାମ୍ନା କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ସେ ଆନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିବେ ବୋଲି ଆଶା କରାଯାଉଥିଲେ ହେଁ, ଅଧିନାୟକ ଅୟରଙ୍କ ଜବାବ ସମସ୍ତଙ୍କୁ ଚିନ୍ତାରେ ପକାଇଛି।
ବୈଭବଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିବ କି ନାହିଁ ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଆୟର କହିଛନ୍ତି, “ଆମେ ଜାଣିନୁ କେତେବେଳେ କଣ ହେବ। ଏହା ଏକ ଅତ୍ୟନ୍ତ ଗୋପନୀୟ ବିଷୟ, ତେଣୁ ଏହାକୁ ନେଇ ବର୍ତ୍ତମାନ ଆମ ହାତ ବନ୍ଧା ଅଛି। ଆମେ କେଉଁ ଟିମ୍ କମ୍ବିନେସନ ସହ ପଡ଼ିଆକୁ ଓହ୍ଲାଇବୁ, ତାହା ପ୍ରତିପକ୍ଷ ଦଳକୁ ଜଣାଇବା ପାଇଁ ସର୍ବସାଧାରଣରେ ଆଲୋଚନା କରିପାରିବୁ ନାହିଁ। ଏହା କେବଳ ଦଳ ଭିତରେ ହିଁ ଆଲୋଚନା କରାଯାଏ।”
” It’s not that only one individual (Vaibhav) has performed, others have performed too and it’s important to back them for providing security to players.”
Both Captain and Coaches are justifying Vaibhav’s exclusion nowpic.twitter.com/iER9u0Cp0s
— AdityaRRaj (@RR_for_LIFE) June 30, 2026
ବୈଭବଙ୍କ ପ୍ରଶଂସା କରିବା ସହ ଆୟର କହିଛନ୍ତି ଯେ ସେ ଜଣେ ଭଲ ଖେଳାଳି ଏବଂ ସୁଯୋଗ ମିଳିଲେ ନିଶ୍ଚୟ ଭଲ କରିବେ। କିନ୍ତୁ ଏହା ସହ ସେ କହିଛନ୍ତି, “ଦଳରେ ଯେଉଁମାନେ ଖେଳୁଛନ୍ତି, ସେମାନେ ନିଜର ଭଲ ପ୍ରଦର୍ଶନ ଯୋଗୁ ହିଁ ସେଠାରେ ଅଛନ୍ତି। କେବଳ ଜଣେ ଖେଳାଳି ନୁହେଁ, ବରଂ ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ଆମର ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ସୁଯୋଗ ଓ ସୁରକ୍ଷା ଦେବା, ଯେପରି ସେମାନଙ୍କ ଆତ୍ମବିଶ୍ୱାସ ବଜାୟ ରହିବ। ଯେଉଁମାନେ ଗତ ବିଶ୍ୱକପ୍ ଜିତାଇଛନ୍ତି, ସେମାନେ ଜାଣିଛନ୍ତି କିଭଳି ଖେଳିବାକୁ ହୁଏ ଏବଂ ସେମାନେ ତାହା କରିଆସୁଛନ୍ତି।”
ଶ୍ରେୟସ ଆୟରଙ୍କ ଏହି ବୟାନ ପରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ର ପ୍ଲେଇଙ୍ଗ-୧୧ (Playing XI) ରେ ବୈଭବଙ୍କୁ ସୁଯୋଗ ମିଳୁଛି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।