ନୂଆଦିଲ୍ଲୀ,୨୫।୬: ଭାରତୀୟ ଟି-୨୦ କ୍ରିକେଟ ଦଳର ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଜୁନ ୨୬ ରେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି। ଅଧିନାୟକ ଭାବେ ଏହା ଶ୍ରେୟସଙ୍କ ଡେବ୍ୟୁ ମ୍ୟାଚ୍। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଆୟର ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଏଭଳି ଶେୟାର କରିଛନ୍ତି, ଯାହାକୁ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଶ୍ରେୟସ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ବାୟୋ (Bio) ରେ ନିଜର ଦ୍ୱିତୀୟ ଜନ୍ମ ତାରିଖ ଲେଖିଛନ୍ତି। ସେ ଲେଖିଛନ୍ତି “Second DOB: ୨୫.୧୨.୨୦୨୫”। କ୍ରିକେଟରଙ୍କ ପ୍ରକୃତ ଜନ୍ମ ତାରିଖ ହେଉଛି ୬ ଡିସେମ୍ବର ୧୯୯୪, କିନ୍ତୁ ଇନଷ୍ଟାଗ୍ରାମରେ ’୨୫ ଡିସେମ୍ବର ୨୦୨୫’ ଲେଖିବା ପଛରେ ଏକ ବଡ଼ ଏବଂ ଭାବପ୍ରବଣ କାରଣ ରହିଛି। ଯଦିଓ ଏନେଇ କୌଣସି ଆଧିକାରିକ ବୟାନ ଆସିନାହିଁ, ତେବେ ପ୍ରଶଂସକ ଏବଂ ରିପୋର୍ଟ ଅନୁଯାୟୀ ଏହି ତାରିଖ ତାଙ୍କ କ୍ୟାରିୟର ଓ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା।
ବାସ୍ତବରେ, ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଆୟର ଏକ ମ୍ୟାଚ୍ରେ କ୍ୟାଚ୍ ଧରିବାକୁ ଯାଇ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କ ପ୍ଲୀହା (Spleen) ରେ ଆଘାତ ଲାଗିଥିଲା ଏବଂ ଶରୀର ଭିତରେ ରକ୍ତସ୍ରାବ (Internal Bleeding) ହେବା ଯୋଗୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ବଡ଼ ଧରଣର ଆଘାତ ପରେ ସେ ଦୀର୍ଘ ସମୟ ଧରି କ୍ରିକେଟ ମଇଦାନରୁ ଦୂରେଇ ରହିଥିଲେ।
ସୋଶିଆଲ ମିଡିଆରେ ଜଣେ ପ୍ରଶଂସକଙ୍କ ପୋଷ୍ଟ ଅନୁଯାୟୀ, “୨୫.୧୨.୨୦୨୫ ହେଉଛି ସେହି ଦିନ, ଯେଉଁଦିନ ଶ୍ରେୟସ ଏହି ମାରାତ୍ମକ ଆଘାତରୁ ସୁସ୍ଥ ହୋଇ ପୁଣି ଥରେ ହାତରେ ବ୍ୟାଟ ଧରି ଅଭ୍ୟାସ ଆରମ୍ଭ କରିଥିଲେ। ଏହା ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଥିଲା। ବୋଧହୁଏ ସେଥିପାଇଁ ସେ ଏହି ତାରିଖକୁ ନିଜର ଦ୍ୱିତୀୟ ଜନ୍ମ (Second DOB) ବୋଲି ମାନନ୍ତି।”
ଏହି ଦୁର୍ଘଟଣା ପରେ ଆୟର ବହୁତ ଆଧ୍ୟାତ୍ମିକ ହୋଇଯାଇଛନ୍ତି ଏବଂ ନିଜ ବିଶ୍ୱାସ ଓ କଠିନ ପରିଶ୍ରମ ବଳରେ ସେ ଟିମ୍କୁ ଫେରିଛନ୍ତି।
ତାଙ୍କ ପାଇଁ ଏହି ଆୟରଲ୍ୟାଣ୍ଡ ସିରିଜ ଏକ ବଡ଼ ପରୀକ୍ଷା। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ୨୦୨୬ ଟି-୨୦ ବିଶ୍ୱକପ ଜିତିବା ପରେ, ଏବେ ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଚୟନକର୍ତ୍ତାମାନେ ଶ୍ରେୟସଙ୍କ ଉପରେ ଭରସା ଦେଖାଇ ତାଙ୍କୁ ଦଳର ନେତୃତ୍ୱ ଦେଇଛନ୍ତି।
ଅଧିନାୟକ ଭାବେ ଆୟରଙ୍କ ରେକର୍ଡ ଦେଖିଲେ, ସେ ଆଇପିଏଲ (IPL) ରେ ଜଣେ ଚମତ୍କାର ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ତାଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ (KKR) ଆଇପିଏଲ ଟ୍ରଫି ଜିତିଛି। ଏହା ବ୍ୟତୀତ ସେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ ପାଇଁ ମଧ୍ୟ ଅଧିନାୟକ ଭାବେ ଚମତ୍କାର ପ୍ରଦର୍ଶନ କରିଛନ୍ତି।
ସବୁଠାରୁ ବଡ଼ କଥା ହେଉଛି, ଅଧିନାୟକତ୍ୱର ଚାପରେ ଆୟରଙ୍କ ପ୍ରଦର୍ଶନ ଖରାପ ହୁଏନାହିଁ, ବରଂ ସେ ଆହୁରି ଭଲ ବ୍ୟାଟିଂ କରନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ଆୟରଲ୍ୟାଣ୍ଡ ଏବଂ ଆଗାମୀ ଇଂଲଣ୍ଡ ଗସ୍ତରେ ଶ୍ରେୟସଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ କିଭଳି ପ୍ରଦର୍ଶନ କରୁଛି।
Dharitri – Odisha’s No.1 Odia Daily