Categories: Home Leftଖେଳ

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୨୧ ରନ କରିଥିଲା। ଜବାବରେ ଆଫଗାନିସ୍ତାନ ଦଳ ୧୦୦ ରନ ମଧ୍ୟ ପାର କରିପାରିନଥିଲା।

ତେବେ ମ୍ୟାଚର ଫଳାଫଳଠାରୁ ଅଧିକ ଚର୍ଚ୍ଚାରେ ରହିଛି ଭାରତର ଟ୍ରଫି ସେଲିବ୍ରେଶନ। ଟ୍ରଫି ନେବା ସମୟରେ ଶ୍ରେୟସ ଆୟର ଆଫଗାନିସ୍ତାନ ଅଧିନାୟକ ଇବ୍ରାହିମ ଜାଦରାନଙ୍କୁ ମଧ୍ୟ ନିଜ ସହ ଡାକିଥିଲେ। ଶ୍ରେୟସଙ୍କ ଏହି ଅନ୍ଦାଜ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତିଛି।

ଦିଲ୍ଲୀ ଏବଂ ଜିଲା କ୍ରିକେଟ ଆସୋସିଏସନ (DDCA)ର ଅଧ୍ୟକ୍ଷ ରୋହନ ଜେଟଲୀ ଭାରତୀୟ ଦଳର ଅଧିନାୟକଙ୍କୁ ଟ୍ରଫି ଦେବାକୁ ଆସିଥିଲେ। ଶ୍ରେୟସ ଆୟର ଟ୍ରଫି ନେବାକୁ ଆଗକୁ ଆସିଥିଲେ। କିନ୍ତୁ ଟ୍ରଫି ନେବା ପୂର୍ବରୁ ସେ ପାଖରେ ଠିଆ ହୋଇଥିବା ଆଫଗାନିସ୍ତାନ ଅଧିନାୟକ ଇବ୍ରାହିମ ଜାଦରାନଙ୍କୁ ଡାକିଥିଲେ। ପରେ ରୋହନ ଜେଟଲୀ ମଧ୍ୟ ଜାଦରାନଙ୍କୁ ସାଙ୍ଗରେ ଟ୍ରଫି ନେବାକୁ କହିଥିଲେ। ଉଭୟେ ମିଶି ଟ୍ରଫି ସହ ଫଟୋ ଉଠାଇଥିଲେ। କେବଳ ଟ୍ରଫି ନୁହେଁ, ଭାରତୀୟ ଦଳର ବିଜୟ ସେଲିବ୍ରେଶନରେ ମଧ୍ୟ ଇବ୍ରାହିମ ଜାଦରାନଙ୍କୁ ସାମିଲ କରାଯାଇଥିଲା। ଶ୍ରେୟସ ଅୟର ଟ୍ରଫି ଧରି ଭାରତୀୟ ଖେଳାଳିଙ୍କ ପାଖକୁ ଯିବା ପରେ ଗ୍ରୁପ ଫଟୋ ପୂର୍ବରୁ ସଞ୍ଜୁ ସାମସନ ଜାଦରାନଙ୍କୁ ମଧ୍ୟ ସାଙ୍ଗରେ ଆସିବାକୁ କହିଥିଲେ।
ପରେ ଜାଦରାନ ଭାରତୀୟ ଦଳର ଖେଳାଳିଙ୍କ ସହ ଠିଆ ହୋଇ ଗ୍ରୁପ ଫଟୋ ଉଠାଇଥିଲେ। ଭାରତୀୟ ଖେଳାଳିଙ୍କ ଏହି ବ୍ୟବହାରକୁ କ୍ରିକେଟ୍‌ପ୍ରେମୀମାନେ ପ୍ରଶଂସା କରୁଛନ୍ତି।

Dharitri – Odisha’s No.1 Odia Daily

 

Share