Categories: ଖେଳ

ଶ୍ରେୟସ ଆୟରଙ୍କ ବିଦେଶରେ ହେବ ଅସ୍ତ୍ରୋପଚାର

ନୂଆଦିଲ୍ଲୀ, ୫ା୪ (ପି.ଟି.): ଭାରତୀୟ ବ୍ୟାଟର ଶ୍ରେୟସ ଆୟର ସମ୍ପୂର୍ଣ୍ଣ ଆଇପିଏଲ୍‌ ବ୍ୟତୀତ ଜୁନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିପାରିବେ ନାହିଁ। ବିଦେଶରେ ତାଙ୍କ ପିଠିରେ ଅସ୍ତ୍ରୋପଚାର ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏକ ସୂତ୍ରରୁ ପ୍ରକାଶ। ଆଇପିଏଲ୍‌ ଦଳ କୋଲକାତା ନାଇଟ ରାଇଡର୍ସ (କେକେଆର) ଅଧିନାୟକ ଆୟର ଅତି କମ୍‌ରେ ୫ ମାସ ଖେଳିପାରିବେ ନାହିଁ। ତେଣୁ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁଥିବା ୫୦ ଓଭର ବିଶ୍ୱକପ୍‌ରେ ତାଙ୍କ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଜୁନ୍‌ ୭ରୁ ଲଣ୍ଡନରେ ଖେଳାଯିବ। ପିଠିର ନିମ୍ନ ଭାଗରେ ଆଘାତପ୍ରାପ୍ତ ଯୋଗୁ ଆୟର ଗତ ମାସରେ ବର୍ଡର-ଗାଭାସ୍କର ଟ୍ରଫିର ଫାଇନାଲ ଟେଷ୍ଟରେ ଖେଳିପାରି ନ ଥିଲେ। ପରେ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜରେ ମଧ୍ୟ ସେ ଖେଳିପାରି ନ ଥିଲେ। ଗତ ଡିସେମ୍ବରରେ ଭାରତର ବାଂଲାଦେଶ ଟୁର୍‌ ସମୟରେ ସେ ଆଘାତପ୍ରାପ୍ତ ହୋଇଥିଲେ। ଆୟରଙ୍କ ଅନୁପସ୍ଥିତିରେ ଆଇପିଏଲ୍‌ ସିଜନ ଆରମ୍ଭ ପୂର୍ବରୁ କେକେଆର ନୀତୀଶ ରାଣାଙ୍କୁ କାମଚଳା ଅଧିନାୟକ ଘୋଷଣା କରିଥିଲା।

Share