ଠାକୁରଙ୍କ ସମ୍ପତ୍ତିରୁ ଜବରଦଖଲ ଉଚ୍ଛେଦ

କେନ୍ଦୁଝର,୩ା୧୨(ସ୍ବ.ପ୍ର.): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କ ନାମରେ ଥିବା ବାଘୁଆବେଢ଼ା ନିକଟରେ ମୂଲ୍ୟବାନ ଜମିକୁ ଜବରଦଖଲ କରିବା ନେଇ କେନ୍ଦୁଝର ଉପଜିଲାପାଳ ତଥା ନିର୍ବାହୀ ଅଧିକାରୀଙ୍କ ନିକଟରେ କେନ୍ଦୁଝରଗଡ଼ ପୌରପାଳିକାର ସ୍ଥାନୀୟ ଅଞ୍ଚଳର କାଉନସିଲର ଓ ସ୍ଥାନୀୟ ଜଗନ୍ନାଥ ପ୍ରେମୀ ଲିଖିତ ଅଭିଯୋଗ କରିଥିଲେ। ବାଘୁଆବେଢ଼ା ନିକଟରେ ତଥା ଧନୁର୍ଜୟପୁର ମୌଜାରେ ଥିବା ଖାତା ନମ୍ବର ୧୧୬, ପ୍ଲଟ ନମ୍ବର ୪୭୩ ଶ୍ରୀ ଜୀଉଙ୍କ ନାମରେ ୩ ଏକର ୮୦ ଡିସିମିଲ ପଟ୍ଟା ଥିବାବେଳେ ଏହାକୁ ଲଘୁ ସମ୍ପ୍ରଦାୟର ଲୋକ ଜବରଦଖଲ କରି ପୋଖରୀ,ଛେଳିଘର,ଗୁହାଳ ଓ ସ୍ଥାୟୀଗୃହ ନିର୍ମାଣ କରିଥିଲୋ। ଦେଢ଼ ଏକର ଜମିରେ ଏହି ଅବରୋଧ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଦେଉଳ ନିକଟରେ ଥିବା ମୂଲ୍ୟବାନ ଜମି ଜବରଦଖଲ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏହା ପରେ ଶନିବାର କିଛି କାଉନସିଲର ତଥା ଜଗନ୍ନାଥ ପ୍ରେମୀ ଘଟଣାସ୍ଥଳରେ ପହଞ୍ଚି ଚିହ୍ନଟ ହୋଇଥିବା ଠାକୁର ଜମିରୁ ମେଶିନ ଲଗାଇ ଉଚ୍ଛେଦ କରିଛନ୍ତି। ଏହାକୁ ଜଗନ୍ନାଥ ପ୍ରେମୀମାନେ ସ୍ବାଗତ କରିଥିବାବେଳେ ଉକ୍ତ ଅଞ୍ଚଳରେ ରହିଥିବା ସମସ୍ତ ଠାକୁର ଜମି ଜବରଦଖଲ ଉଚ୍ଛେଦ କରିବାକୁ ଦାବି ଜୋର ଧରିଛି।
ସୂଚନାଯୋଗ୍ୟ, ଦେବୋତ୍ତର ବିଭାଗ ଜାଣି ନ ଜାଣିଲା ପରି ଚୁପ୍‌ ବସୁଥିବାରୁ ବଡ଼ବଡ଼ିଆମାନେ ନିଜ କବ୍‌ଜାକୁ ଠାକୁରଙ୍କ ଜମି ଅକ୍ତିଆର କରି ଘର,ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଛନ୍ତି। ଦେବୋତ୍ତର ଜମିରେ ଘର କରିବା ପରେ ବିଦ୍ୟୁତ୍‌ ବିଭାଗ ଲାଇନ୍‌ ସଂଯୋଗ ଏବଂ ପିଏଚ୍‌ଡି ବିଭାଗ ପାଣି ସଂଯୋଗ କିପରି ଦେଉଛି ତାହା ତଦନ୍ତ ସାପେକ୍ଷ। ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମୂଲ୍ୟବାନ ଜମିକୁ ତୁରନ୍ତ ଉଦ୍ଧାର କରିବାକୁ ଭକ୍ତ ମହଲରେ ଦାବି ହେଉଥିଲେ ହେଁ ଦେବୋତ୍ତର ବିଭାଗ ଚୁପ୍‌ ରହୁଥିବା ଅଭିଯୋଗ ହୋଇଛି। ବିଭାଗୀୟ କର୍ମଚାରୀମାନଙ୍କୁ ହାତଗୁଞ୍ଜା ଦେଇ ଏହି ଜବର ଦଖଲକାରୀମାନେ ପାଚେରି ବୁଲାଇ ରଖିଛନ୍ତି ଦେବୋତ୍ତର ଜାଗା। ସହରରେ ଅଧିକାଂଶ ଜାଗାର ସରକାରୀ ମୂଲ୍ୟ ପିଛା ୨ଲକ୍ଷରୁ ଊର୍ଦ୍ଧ୍ୱ ଟପି ଥିବାବେଳେ ପ୍ରଶାସନର ଜବରଦଖଲକାରୀଙ୍କ ଉପରେ କୌଣସି ଅଙ୍କୁଶ ନାହିଁ । ବିଶେଷକରି ସିରାଜୁଦ୍ଦିନ ଛକରୁ କଲେଜ ମଧ୍ୟରେ ଥିବା ମୂଲ୍ୟବାନ ଜାଗାଗୁଡ଼ିକ ଜବରଦଖଲ କରି ମୌଖିକ ଜବାବରେ ମୂଲଚାଲ କରି ମାଫିଆମାନେ ବିକ୍ରିବଟା କରିବାକୁ ପଛାଉନାହାନ୍ତି । ନିକଟ ଅତୀତରେ ବଣିଆପାଟ ଛକ ନିକଟ ସାତଶିଙ୍ଗା ମୌଜାରେ ଏକ ମୂଲ୍ୟବାନ ଦେବୋତ୍ତର ଜାଗାରେ ଘର ତିଆରି କରିବା ପରେ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା।ତେବେ ବେଆଇନ ଦଖଲକୁ ଉଚ୍ଛେଦ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିବାର ମାସାଧିକ କାଳ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନ ଥିବା ସନ୍ଦେହ ସୃଷ୍ଟି କରିଛି।