ରୁଖସାନା ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ବାୟୋପିକ ଟ୍ରେଣ୍ଡରେ ଏବେ ଆଉ ଜଣଙ୍କ ନାଁ ସାମିଲ ହେବାକୁ ଯାଉଛି । ୮ ଅଗଷ୍ଟ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଟିକଲ ୩୦ ଶେଷ ହେବାକୁ ନେଇ ଏକ ଭାଷଣ ଦେଇଥିଲେ । ଏହି ଭାଷଣର ଶେଷକୁ ମୋଦି ୨୧ ବର୍ଷର ଝିଅ ରୁଖସାନା କୈସରଙ୍କ କାହାଣୀ କହିଥିଲେ । ଏବେ ଏହି ଝିଅକୁ ନେଇ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଆଉ ଏଥିରେ ରୁଖସାନା ଭୂମିକାରେ ନଜର ଆସିବେ ବଲିଉଡ ବିୟୁଟି ଶ୍ରଦ୍ଧା କପୁର ।
ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ରାଜୌରି ଜିଲାର ଶହାଦର ଶରିଫ ଗାଁରେ ନୁର ହୁସେନ ଓ ରାଶିଦା ବେଗମଙ୍କ ଘରେ ଏକ କନ୍ୟା ଜନ୍ମ ନେଇଥିଲେ । ଯାହାଙ୍କ ନାମ ରଖାଯାଇଥିଲା ରୁଖସାନା କୈସର । ରୁଖସାନାର ଅର୍ଥ ହେଉଛି ଉଜ୍ୱଳ । ରୁଖସାନାଙ୍କ ଚମକ ୨୦୦୯ରେ ଦେଖିବାକୁ ମିଳିଥିଲା ଯେତେବେଳେ ସେ ୨୦ ବର୍ଷର ହୋଇଥିଲେ । ୨୭ ଡିସେମ୍ବର ୨୦୦୯ରେ ରୁଖସାନା ତାଙ୍କ ମାତାପିତା ଓ ଭାଇଙ୍କ ସହ ଘରେ ଥିଲେ । ତାଙ୍କ ଗାଁକୁ ଲାଗି ରହିଥିଲା ଏକ ଜଙ୍ଗଲ । ଯେଉଁଠାରୁ ଆତଙ୍କବାଦୀମାନେ ତାଙ୍କ ଗାଁକୁ ଖାଇବାକୁ ଅବା ରହିବାକୁ ଆସୁଥିଲେ । ସେଦିନ ରାତି ପ୍ରାୟ ୯ଟା ୩୦ରେ ୩ ଜଣ ଆତଙ୍କବାଦୀ ନୁର ହୁସେନଙ୍କ କବାଟ ବାଡେଇ ତାଙ୍କ ଘରେ ରହିବାକୁ କହିଥିଲେ । ହେଲେ ରୁଖସାନାଙ୍କ ପିତା ନୁର ହୁସେନ ସେମାନଙ୍କୁ ଘରେ ପଶିବାକୁ ଦେଇ ନ ଥିଲେ । ଏହା ଶୁଣି ଆତଙ୍କବାଦୀମାନେ ନୁର ହୁସେନଙ୍କୁ ମାରିବାକୁ ଲାଗିଥିଲେ । ଏହାଦେଖି ଘର ଭିତରେ ଥିବା ରୁଖସାନା ବାହାରକୁ ଆସି ପାଖରେ ଥିବା ଏକ କୁରାଢିରେ ଆତଙ୍କବାଦୀ ଅବୁ ଇସାମାର ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ । ଏହାସହ ଆତଙ୍କବାଦୀଙ୍କ ବନ୍ଧୁକ ଛଡାଇଆଣି ଗୁଳି କରିବା ଆରମ୍ଭ କରି ଦେଇଥିଲେ । ଏହାକୁ ଦେଖି ଅନ୍ୟ ଆତଙ୍କବାଦୀମାନେ ସେଠାରୁ ପଳାଇ ଯାଇଥିଲେ । ତେବେ ଏହି ଘଟଣା ପୂର୍ବରୁ ଆତଙ୍କବାଦୀମାନେ ରୁଖସାନା ଓ ତାଙ୍କ ଚାଚିଙ୍କୁ ଅପହରଣ କରିନେଇଥିଲେ ବି ପରେ ଛାଡି ଦେଇଥିଲେ । ଏହାର ଠିକ ଗୋଟିଏ ମାସ ପରେ କେତେଜଣ ଅଜଣା ଲୋକ ରାତି ପ୍ରାୟ ୧୦ଟା ୩୦ରେ ରୁଖସାନାଙ୍କ ଘର ଉପରକୁ ଗ୍ରେନେଡ ମାଡ କରିଥିଲେ । ହେଲେ ତାଙ୍କ ପରିବାର ସଦସ୍ୟଙ୍କର କିଛି କ୍ଷତି ହୋଇ ନ ଥିଲା । କାରଣ ସେତେବେଳକୁ ସରକାର ରୁଖସାନାଙ୍କ ପରିବାରକୁ ହାଇ ସିକ୍ୟୁରିଟି ପୋଲିସ କଲୋନିକୁ ସିପ୍ଟ କରି ଦେଇଥିଲେ ।
ଏହାପରେ ୨୫ ଜାନୁୟାରୀ ୨୦୧୦ରେ ରିପବ୍ଲିଡ ଡେର ପୂର୍ବ ସନ୍ଧ୍ୟାରେ ରୁଖସାନା ଓ ତାଙ୍କ ଭାଇଙ୍କୁ ସେମାନଙ୍କର ସାହସିକତା ପାଇଁ କିର୍ତ୍ତି ଚକ୍ର ଦିଆଯାଇଥିଲା । ତାଙ୍କୁ ନ୍ୟାଶନାଲ ବ୍ରେଭରି ଆୱାର୍ଡ, ସର୍ବୋତ୍ତମ ଜୀବନ ରକ୍ଷା ପଦକ, ସର୍ଦ୍ଦାର ପଟେଲ ଆୱାର୍ଡ, ରାଣୀ ଝାନ୍ସି ବ୍ରେଭରି ଆୱାର୍ଡ ଭଳି ଅନେକ ପୁରସ୍କାର ମିଳିଥିଲା । ରୁଖସାନାଙ୍କ ପରିବାରର ସୁରକ୍ଷା ପାଇଁ ତାଙ୍କ ଘରେ ସ୍ପେଶାଲ ପୋଲିସ ପୋଷ୍ଟ ଲଗାଯାଇଥିଲା । ଏବେ ରୁଖସାନା ରାଜୌରିରେ କନଷ୍ଟେବଳ ରହିଛନ୍ତି । ସେ ୨୦୧୩ରେ ବିବାହ କରିଥିବା ବେଳେ ତାଙ୍କ ସ୍ୱାମୀ କବିର ହୁସେନ ଇନ୍ସପେକ୍ଟର ଅଛନ୍ତି । ତାଙ୍କର ୩ ଝିଅ । ଏବେ ସେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରି ଜଣେ ଜଣେ ଦାୟିତ୍ୱବାନ ନାଗରିକ କରି ଗଢି ତୋଳିବେ ବୋଲି ରୁଖସାନା କହିଛନ୍ତି । ଏବେ ଏହି ସାହସି ଝିଅଙ୍କ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି, ଯେଉଁଥିରେ ଶ୍ରଦ୍ଧା କପୁର ରୁଖସାନା ଭୂମିକାରେ ଅଭିନୟ କରିବେ ।

Share