ଭଞ୍ଜନଗର, ୨।୧୧ (ବାବୁଲା ପ୍ରଧାନ): ଗୋଟିଏ ବାତ୍ୟାର ଦୁଃଖ ନ ଲିଭୁଣୁ ପୁଣି ଆଉ ଏକ ବାତ୍ୟାର ଆଶଙ୍କା ଦେଖାଦେଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିପନ୍ନ ଲୋକଙ୍କ ପ୍ରତି ସହାନୁଭୂତିଶୀଳ ହେବା ସହ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସୋମବାର ଭଞ୍ଜନଗରଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିଲେ।
ବାତ୍ୟା ପରବର୍ତ୍ତୀ ବନ୍ୟାରେ ଭଞ୍ଜନଗର ଉପଖଣ୍ଡରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଛି। ଜଳଯୋଗାଣ, ଗମନାଗମନ ଓ ବିଦ୍ୟୁତ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଆସନ୍ନ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଜୀବନ ସୁରକ୍ଷା ଓ ଜରୁରୀକାଳୀନ ସେବା ସୁନିଶ୍ଚିତ କରିବାକୁ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ବାତ୍ୟା ପରବର୍ତ୍ତୀ ବନ୍ୟାରେ ଲୋକଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଥିଲେ। ବିପଦ ସମୟରେ ସମସ୍ତେ ଏକାଠି ହୋଇ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇବା ଦିଗରେ ଯତ୍ନବାନ ହେବାକୁ ସେ ଆହୱାନ ଦେଇଥିଲେ। ଉପଜିଲ୍ଲାପାଳ ଉମାଶଙ୍କର ବେହେରା ବୈଠକରେ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ଅତିରିକ୍ତ ଉପଜିଲାପାଳ ପ୍ରଧାନ ଟୁଲିଆମା, ଡେପୁଟି କଲେକ୍ଟର ରଚିତା ମହାପାତ୍ର, ନିର୍ଦ୍ଦେଶକ ତଥା ପଦାଧିକାରୀ, ସ୍ବତନ୍ତ୍ର ଶାସନ ସଚିବ (ବୈଷୟିକ) ଡ. ଭବାନୀ ଶଙ୍କର ମିଶ୍ର, ବ୍ରହ୍ମପୁର ସିଡିଏମଓ ଡ. କାମେଶ୍ୱର ରାଓ, ଡ. ସୁଭାଶିଷ ମହାନ୍ତି, ବିଡିଓ ଭାରତୀ ଦେବୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ସମେତ ରାସ୍ତା ଓ ଗୃହ ନିର୍ମାଣ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଜନସ୍ବାସ୍ଥ୍ୟ ବିଭାଗ ଏବଂ ଟାଟା ପାୱାରର ଅଧୀକ୍ଷଣ ଯନ୍ତ୍ରୀମାନେ ଯୋଗଦେଇ ପୁନରୁଦ୍ଧାର କାର୍ଯ୍ୟ ଓ ଆସନ୍ନ ବାତ୍ୟା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।
ବାତ୍ୟା ସମୟରେ ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ସହ ରାସ୍ତା ସଂଯୋଗ, ପାନୀୟ ଜଳଯୋଗାଣ ଓ ବିଦ୍ୟୁତ ସେବା ସ୍ବାଭାବିକ ରଖିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ରାସ୍ତାଘାଟ କ୍ଷତିଗ୍ରସ୍ତ ହେଲେ ତୁରନ୍ତ ମରାମତି କରି ଯାତାୟାତ ସୱାଭାବିକ କରିବା ଏବଂ ବିଦ୍ୟୁତ୍ ବିଭ୍ରାଟ ଘଟିଲେ ଶୀଘ୍ର ସେବା ପୁନଃସ୍ଥାପନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ସ୍ଥାନରେ ରନ୍ଧାଖାଦ୍ୟ ପ୍ରସ୍ତୁତି ବେଳେ ଖାଦ୍ୟ ନିରୀକ୍ଷକମାନେ ଉପସ୍ଥିତ ରହି ଖାଦ୍ୟର ଗୁଣବତ୍ତା ଓ ସ୍ବଚ୍ଛତା ଯାଞ୍ଚ କରିବାକୁ ମନ୍ତ୍ରୀ କହିଥିଲେ। ଜରୁରୀକାଳୀନ ଚିକିତ୍ସା ସେବା, ଆବଶ୍ୟକ ଔଷଧ, ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା ଧନ୍ୟବାଦ ଅର୍ପଣ କରିଥିଲେ।
ଅପରପକ୍ଷେ, ମଙ୍ଗଳବାର ଓ ବୁଧବାର ପୁଣି ବାତ୍ୟା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଗିଡ଼ିପାବାଲି ଓ ଡାଙ୍ଗେଶିରେ ଘଟିଥିବା ଧନଜୀବନ କ୍ଷୟକ୍ଷତିର ପୁନରାବୃତ୍ତି ଯେପରି ନ ହୁଏ, ସେଥିପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ, ମ୍ୟୁନିସପାଲିଟି ପକ୍ଷରୁ ଲୋକଙ୍କୁ ବାରମ୍ବାର ବୁଝାଇ ସୁରକ୍ଷିତ ସ୍ଥାନକୁ ନିଆଯାଉଛି।
ଏହି ପରିପ୍ରେକ୍ଷୀରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ଭଞ୍ଜନଗରର ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ ପକ୍ଷରୁ ସ୍ବେଚ୍ଛାସେବୀମାନେ ବିଭିନ୍ନ ନଦୀ ଓ ନାଳ କୂଳରେ ବସବାସ କରୁଥିବା ଲୋକଙ୍କୁ ଭେଟି ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ। ଏଥିସହ ବିଭିନ୍ନ ସ୍ଥାନରେ ଏନଏସଏସ ପକ୍ଷରୁ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିଲା। ଅଧ୍ୟକ୍ଷ ଡ ଗଗନ ବିହାରୀ ପୁରୋହିତଙ୍କ ନିର୍ଦ୍ଦେଶରେ ଯୋଜନା ଅଧିକାରୀ ବାବୁଲା ପ୍ରଧାନ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।