କାନ୍ଧ ସହ ମିଶାଇଲେ କାନ୍ଧ

ଢେଙ୍କାନାଳ ଅଫିସ, ୮।୧

କେନ୍ଦ୍ରାପଡ଼ାରେ ଘର। ରହୁଥିଲେ ଢେଙ୍କାନାଳରେ। ରୋଗରେ ପଡ଼ିଲେ। ଟାଣି ନେଇଗଲା ମୃତ୍ୟୁ। ହେଲେ ଦୁଃଖ ଏତିକିରେ ସରିଲାନି। କରୋନା ଭୟରେ ଡାକ୍ତରଖାନାରୁ ଭଡ଼ାଘରକୁ ମୃତଦେହ ପୂରାଇବାକୁ ରାଜି ହେଲେନି ମାଲିକ। ଅସହାୟ ଅବସ୍ଥାରେ ଝିଅ, ନାତୁଣୀ ମୃତଦେହକୁ କାନ୍ଧଦେଲେ। ଆଖିର ଲୁହ ଆଖିରେ ମାରି ମଶାଣିକୁ ଯାଉଥିବାବେଳେ ଏଭଳି କରୁଣ ଦୃଶ୍ୟ ପଡ଼ିଲା ସାମାଜିକ ଅନୁଷ୍ଠାନ ‘ହେଲପିଂ ହ୍ୟାଣ୍ଡ’ର ସଦସ୍ୟଙ୍କ ଆଖିରେ। ଶେଷରେ କାନ୍ଧକୁ କାନ୍ଧ ହୋଇ ମରଶରୀର ପହଞ୍ଚତ୍ଲା ଶ୍ମଶାନରେ। ବିଧିବଦ୍ଧ ଭାବେ ଅନ୍ତିମ ସଂସ୍କାର ମଧ୍ୟ ହେଲା। ଗୁରୁବାର ଏଭଳି ଏକ ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ।
ଢେଙ୍କାନାଳ ଜିଲାର ସଂଯୁକ୍ତା ପରିଡ଼ା (୭୫) ସହର ଉପକଣ୍ଠ କୋରିଅଁା ନିକଟରେ ଭଡ଼ା ଘରେ ଝିଅ ଏବଂ ନାତୁଣୀଙ୍କ ସହ ରହୁଥିଲେ। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ସଂଯୁକ୍ତା ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶେଷ ସମୟରେ ତାଙ୍କ ନିକଟରେ ଝିଅ ଏବଂ ନାତୁଣୀଙ୍କ ବ୍ୟତୀତ କେହି ନ ଥିଲେ। ଅନ୍ୟପଟେ ଘରକୁ ମୃତଦେହ ନେବାକୁ ବାହାରିଥିବାବେଳ ଘର ମାଲିକ କୁନ୍ଥୁକୁନ୍ଥୁ ହୋଇଥିଲେ। ଫଳରେ ଡାକ୍ତରଖାନାରୁ ମଶାଣିକୁ ମୃତଦେହ ନେବାକୁ ସ୍ଥିର କରିଥିଲେ ଝିଅ ଏବଂ ନାତୁଣୀ। ସଂଯୁକ୍ତାଙ୍କ ମୃତଦେହ କାନ୍ଧେଇ ଶ୍ମଶାନକୁ ଯାଉଥିବାବେଳେ ସହାୟତା କରିବାକୁ ଆଗେଇ ଆସିଥିଲେ ‘ହେଲ୍‌ପିଂ ହ୍ୟାଣ୍ଡ’ର ସଦସ୍ୟ। ବଡ଼ଯୋରା ଶ୍ମଶାନରେ ମୃତଦେହର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଅନୁଷ୍ଠାନର ସର୍ବେଶ୍ୱର ବେହେରା ଏବଂ ପିନାକୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମୃତ ମହିଳା ୨ମାସ ତଳେ ଝିଅ ଘରକୁ ଆସିଥିଲେ। ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।