ସୋନପୁର/ବିନିକା,୨୧।୬ (ମୃତ୍ୟୁଞ୍ଜୟ ଶତପଥୀ/ରାମଗୋପାଳ ବାଘ): ସୁବର୍ଣ୍ଣପୁର ଯୁବ ବିଜେଡି ଜିଲା ସଭାପତି ତଥା ବିନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ଘର ଓ କାରକୁ ଶୁକ୍ରବାର ରାତିରେ ଗୁଳିମାଡ଼ ହୋଇଛି। ରାତି ୧୧ଟା ୩୦ମିନିଟ୍ରେ ରାମପୁର ପଟୁ ଏକ ଧଳା ରଙ୍ଗର କାରରେ ଦୁର୍ବୃତ୍ତମାନେ ଆସି ଅଶୋକଙ୍କ ବିନିକା ଥାନା ସିଂଘିଯୁବାସ୍ଥିତ ଘର ସମ୍ମୁଖରେ ଆତଙ୍କ ଖେଳାଇ ଥିଲେ। ଦୁର୍ବୃତ୍ତମାନେ ଘର ସମ୍ମୁଖ ଗ୍ରୀଲ୍କୁ ଗୋଇଠା ମାରିବା ସହ ଭିତରକୁ ଗୁଳିମାଡ଼ କରିଥିଲେ। ତେବେ କାହାରି କ୍ଷତି ହୋଇନାହିଁ। ଘର ଭିତରେ ଥିବା କାର ନଂ. ଓଡି ୩୧ ଏମ ୯୦୦୦ ଉପରକୁ ଗୁଳିମାଡ଼ କରାଯାଇଥିଲା। ପରେ ଘର ପାର୍ଶ୍ୱରେ ଥିବା ପାପି ଗ୍ରାମର ସୁବାସ ଚନ୍ଦ୍ର ପାତ୍ରଙ୍କ କାର ନଂ. ଓଡି୩୧ଏମ-୩୦୮୮ କୁ ଗୁଳିମାଡ଼ କରିଥିଲେ। ଏପରି କି ଉପରକୁ ବ୍ଲାଙ୍କ ଫାୟାର କରିବା ପରେ ଦୁର୍ବୃତ୍ତମାନେ ପୁଣି ରାମପୁର ପଟକୁ ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ପ୍ରାୟ ୨୦ରୁ ୩୦ ରାଉଣ୍ଡ ଫାୟାରିଂ ହୋଇଛି। ଖବରପାଇ ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକ ଶୁକ୍ରବାର ରାତିରେ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ଏ ସମ୍ପର୍କରେ ଅଶୋକ ଓ ସୁବାସଙ୍କ ଅଭିଯୋଗକ୍ରମେ ବିନିକା ଥାନାରେ ପୃଥକ ଭାବେ ୨ଟି ମାମଲା ରୁଜୁ ହୋଇଛି। ପୋଲିସ ସିସିଟିଭି ଫୁଟେଜ୍କୁ ଅନୁଧ୍ୟାନ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ଶନିବାର ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଛି। ଅତିରିକ୍ତ ଏସ୍ପି କେ. କେ. ହରିପ୍ରସାଦ, ଏସ୍ଡିପିଓ କଲ୍ୟାଣୀ ବେହେରା ଓ ବିନିକା ଆଇଆଇସି ଅନିତା କିଡୋଙ୍କ ଉପସ୍ଥିତିରେ ଘଟଣାସ୍ଥଳରୁ ପୋଲିସ ୨୪ଟି ଗୁଳି ଜବତ କରିଛି। ସୂଚନା ଅନୁଯାୟୀ, ଅଶୋକ ଜଣେ ବ୍ୟବସାୟୀ ତଥା ପ୍ରଭାବଶାଳୀ ରାଜନେତା। ସେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ଦୃଢ଼ ସମର୍ଥକ। ତାଙ୍କ ସ୍ତ୍ରୀ ଦୀପ୍ତିରେଖା ନନ୍ଦ ଏବେ ବିନିକା ବ୍ଲକର ଅଧ୍ୟକ୍ଷା ଅଛନ୍ତି। ଏହି ଗୁଳିମାଡ଼କୁ ନେଇ ନାନା କଥା ଆଲୋଚନା ହେଉଛି। ଅଞ୍ଚଳରେ ଏଭଳି ଘଟଣା ପ୍ରଥମ ହୋଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ମୋଟ ୫ ଦୁର୍ବୃତ୍ତ ଏଥିରେ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମୁଖା ପିନ୍ଧିଥିବା ଜଣାପଡ଼ିଛି। ଘଟଣାରେ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳିମାଡ଼ ହୋଇଛି କି ନାହିଁ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ମୁଖ୍ୟ ଅଭିଯୁକ୍ତଙ୍କ ପରିଚୟ ସ୍ପଷ୍ଟ ହୋଇ ସାରିଥିବାବେଳେ ପୋଲିସ କୌଣସି ସୂଚନା ପ୍ରଦାନ କରିନାହିଁ। ଭୟଭୀତ କରିବା ପାଇଁ ପରିଚିତ ଲୋକଙ୍କ ପକ୍ଷରୁ ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ବ୍ୟବସାୟିକ, ରାଜନୈତିକ କି ପାରିବାରିକ ଶତ୍ରୁତାରୁ ଏହି ଘଟଣା ଘଟିଛି ନା ଆଉ କିଛି ତାହା ଅସ୍ପଷ୍ଟ ରହିଛି। ଏ ସମ୍ପର୍କରେ ଏସ୍ପି ନାରାୟଣ ନାୟକଙ୍କୁ ପଚାରିବାରେ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନେ ଘଟଣା ପରେ ଫେରାର ହୋଇଯାଇଥିବା କହିଛନ୍ତି।