ରାୟଗଡ଼ାରେ ଡିଜେଲ,ପେଟ୍ରୋଲ ଅଭାବ ଦୂରହେବ

ରାୟଗଡ଼ା ଅଫିସ,୧୯ା୫: ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଭଳି ଜରୁରୀ ଦ୍ରବ୍ୟର ଅଭାବ ଦୂରକରିବା ନିମନ୍ତେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାୟଗଡ଼ା ଉପଜିଲାପାଳ ଭୀମସେନ ଶବର ଅଧ୍ୟକ୍ଷତା କରିଥିଲେ। ରାୟଗଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଜ୍ୟୋତି ଦାଶ, ଜିଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ସହକାରୀ ଯୋଗାଣ ଅଧିକାରୀ ସରୋଜ କୁମାର ସାହୁ ଓ ସୁହାନ୍ସ ଭୋଇ, ଜିଲା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ଉପସଭାପତି ସୁନୀଲ ଚନ୍ଦ୍ର ପଣ୍ଡା, ଆଇଓସିଏଲ୍‌ ମ୍ୟାନେଜର ବର୍ଦ୍ଧନ ପାଲିଆଙ୍କ ସମେତ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଯୋଗଦେଇଥିଲେ।
ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲର କୃତ୍ରିମ ଅଭାବ ଦୂର କରିବା ସହ ଯେପରି ପର୍ଯ୍ୟାପ୍ତ ପରିମାଣର ତେଲ ଗ୍ରାହକଙ୍କୁ ମିଳିପାରିବ, ସେଥି ନିମନ୍ତେ ଆଲୋଚନା ହୋଇଥିଲା। ଖରାରେ ପେଟ୍ରୋଲ ପମ୍ପଗୁଡିକରେ ଲୋକଙ୍କ ପାଇଁ ତାରପୋଲିନ ପକାଯାଇ ନ ଥାଏ, ଘଣ୍ଟା ଘଣ୍ଟା ଧରି ଲୋକଙ୍କୁ ଲମ୍ବା ଧାଡିରେ ଛିଡା ହେବାକୁ ପଡିଥାଏ। ହେଲେ ଏନେଇ କୌଣସି ଧ୍ୟାନ ଦିଆଯାଏ ନାହିଁ। ବୈଠକରେ ଏସବୁ ପ୍ରତି ଧ୍ୟାନଦେବାକୁ ଉପଜିଲାପାଳ କହିଥିଲେ। ତେଲ ଅଭାବ ଯୋଗୁ ମୁଣ୍ଡଫଟା ଖରାରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା କଷ୍ଟ ସାଧ୍ୟ ହୋଇ ପଡ଼ୁଛି। ପେଟ୍ରୋଲ ପମ୍ପଗୁଡିକରେ ପାନୀୟ ଜଳର ଆବଶ୍ୟକତା ଥିବା ଅଭିଯୋଗ ହୋଇଥିଲା।
ଆସନ୍ତା ୨ଦିନ ମଧ୍ୟରେ ସମସ୍ତ ପେଟ୍ରୋଲ ପମ୍ପରେ ଆବଶ୍ୟକ ପରିମାଣର ଡିଜେଲ ଓ ପେଟ୍ରୋଲ ଉପଲବ୍ଧ ହେବ ବୋଲି ପମ୍ପ ମାଲିକ ପ୍ରତିଶ୍ରୁତି ଦେଇଥିଲେ। ଏହା ବ୍ୟତୀତ ପ୍ରତି ପେଟ୍ରୋଲ ପମ୍ପରେ ତାରପୋଲିନ ଓ ପାନୀୟଜଳ ବ୍ୟବସ୍ଥା, ନିଅଁାଲିଭା ଯନ୍ତ୍ର ରଖିବା, ଗାଡ଼ିଗୁଡ଼ିକ ନିମନ୍ତେ ଫ୍ରି ପ୍ରେସର, ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ବତନ୍ତ୍ର ଶୌଚାଳୟ ବ୍ୟବସ୍ଥା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଫୋନ ପେ ନିମନ୍ତେ କ୍ୟୁଆର୍‌ କୋଡ୍‌ ମେଶିନଠାରୁ ଦୂରରେ ରଖିବା ସହ ତେଲ ଦେବା ସମୟରେ ମୋବାଇଲ ଫୋନ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସ୍ଥିର ହୋଇଥିଲା। ପେଟ୍ରୋଲ ପମ୍ପ କର୍ମଚାରୀ ନିୟମିତ ସେମାନଙ୍କ ୟୁନିଫର୍ମ ବ୍ୟବହାର କରିବେ। ଆବଶ୍ୟକ ସ୍ଥଳେ, ଆଇନ ଶୃଙ୍ଖଳା ପରିସ୍ଥିତିରେ ସମସ୍ତ ସହଯୋଗ ନିମନ୍ତେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ।