Categories: ଫୁରସତ

ଏମିତି ଶପିଂ ମଲ୍‌, ଯେଉଁଠି କେବଳ ବିକ୍ରି ହୋଇଥାଏ ପୁରୁଣା ସାମଗ୍ରୀ

ସାଧାରଣତଃ ଯେକୌଣସି ଶପିଂ ମଲରେ ନୂଆ ପୋଷାକଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଆଦି ବିକ୍ରି ହେଉଥିବା ଦେଖିଥିବେ। ମାତ୍ର ଏମିତି ଏକ ମଲ୍‌ ଅଛି ଯେଉଁଠି କେବଳ ପୁରୁଣା ସାମଗ୍ରୀ ବିକ୍ରି ହୋଇଥାଏ। ତେବେ ଏପରି ଏକ ଶପିଂ ମଲ୍‌ ସ୍ବିଡେନ୍‌ରେ ରହିଛି। ଏହି ମଲ୍‌ରେ ପୂର୍ବରୁ ବ୍ୟବହୃତ ଜିନିଷ ବିକ୍ରି ହୋଇଥାଏ। ୨୦୧୫ ମସିହାରୁ ଆରମ୍ଭ ହୋଇଥିବା ଏହି ମଲ୍‌କୁ ‘ରେଟୁନା’ ନାମରେ ନାମିତ କରାଯାଇଛି। ଏହି ମଲ୍‌ ସାରା ବିଶ୍ୱରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।

ସ୍ବିଡେନର ଷ୍ଟକହୋମ୍‌ ସହରର ପଶ୍ଚିମରେ ଥିବା ଏସ୍କିଲଷ୍ଟୁନାରେ ଏହି ମଲ୍‌ ଅବସ୍ଥିତ। ୫,୦୦୦ ବର୍ଗମିଟର ଅଞ୍ଚଳ ପରିମିତ ଏହି ମଲ୍‌ରେ ୫୦ରୁ ୬୫ ଜଣ କର୍ମଚାରୀ କାମ କରୁଛନ୍ତି। ଏଥିରେ ୧୩ଟି ଷ୍ଟୋର ରହିଛି। ପୋଷାକଠାରୁ ଆରମ୍ଭ କରି ଆସବାବପତ୍ର, ପିଲାଙ୍କ ଖେଳନା ଆଦି ଯାବତୀୟ ସାମଗ୍ରୀ ଏଠାରେ ଉପଲବ୍ଧ ହୋଇଥାଏ। ଅନ୍ୟପକ୍ଷରେ ଲୋକଙ୍କ ମଧ୍ୟରେ ସେକେଣ୍ଡ ହ୍ୟାଣ୍ଡ୍‌ ସାମଗ୍ରୀର ମଧ୍ୟ ଚାହିଦା ବଢ଼ିଛି। ବର୍ଷକୁ ଅଢ଼େଇରୁ ୩ ଲକ୍ଷ ଲୋକ ଏଠାକୁ ସାମଗ୍ରୀ କିଣିବାକୁ ଆସୁଥିବା ମଲ୍‌ ମ୍ୟାନେଜର ଅନ୍ନା ବର୍ଗଷ୍ଟ୍ରୋମ କହିଛନ୍ତି। ରେଟୁନା ମଲର ବିଶେଷତ୍ୱ ହେଉଛି, ଏଠାରେ ବିକ୍ରି ହେଉଥିବା ପ୍ରତ୍ୟେକ ଜିନିଷ ପୂର୍ବରୁ ବ୍ୟବହୃତ ହୋଇଥାଏ। ଏଥିସହ ପୁରୁଣା ସାମଗ୍ରୀକୁ ରିସାଇକ୍ଲିଂ କରି ନୂଆ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଏ।

 

ଖାଲି ସେତିକି ନୁହେଁ, ୨୦୨୦ରେ ଗିନିଜ ବୁକ୍‌ ଅଫ ଓ୍ବାଲର୍‌ଡ ରେକଡର୍‌ସ ପକ୍ଷରୁ ରେଟୁନା ‘ ଦ ଓ୍ବାଲର୍‌ଡସ ଫାଷ୍ଟ ଶପିଂ ମଲ ଡେଜିଗନେଟେଡ ଫର୍‌ ରିପେୟାର୍ଡ, ରିସାଇକେଲ୍ଡ ଆଣ୍ଡ୍‌ ରିଷ୍ଟୋରଡ୍‌ ଆଇଟମ୍ସ’ ନାମରେ ନାମିତ କରାଯାଇଛି। ୨୦୪୫ ସୁଦ୍ଧା ସ୍ବିଡେନ ପରିବେଶ ସୁରକ୍ଷା ଦିଗରେ ବିଶ୍ୱର ନେତୃତ୍ୱ ନେବାକୁ ଲକ୍ଷ୍ୟ ରଖିଛି। ରେଟୁନା ଭଳି ହେବା ପାଇଁ ଏବେ ସମସ୍ତ ଦେଶ ଚାହୁଁଛନ୍ତି ବୋଲି ମଲ୍‌ର ମ୍ୟାନେଜର କହିଛନ୍ତି।

Share