ବରଗଡ଼,୧6।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପୌର ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଉଚ୍ଛେଦ ଅଭିଯାନ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳରେ ଜାରି ରହିଛି। ବୁଧବାର ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ କେନାଲ ଛକ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତି ନିକଟରେ ରହିଥିବା ଦୋକାନ ଗୃହ ଉଚ୍ଛେଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ପୌର ପ୍ରଶାସନ ପକ୍ଷରୁ ନିର୍ମିତ ଏହି ଦୋକାନ ଗୃହ ଗୁଡ଼ିକ ମାତ୍ର ୨ବର୍ଷ ପୂର୍ବରୁ ଉଦ୍ଘାଟିତ ହୋଇଥିଲା। ମାତ୍ର ବୁଧବାର ପୌର ପ୍ରଶାସନ ବୋଲଡ଼ୋଜର ଲଗାଇ ସେହି ଦୋକାନ ଗୁଡ଼ିକୁ ଧୂଳିସାତ୍ କରି ଦେଇଛି। ସହରକୁ ବିକଶିତ କରିବା ଉଦ୍ଦେଶ୍ୟରେ ଏହି ଉଚ୍ଛେଦ କରାଯାଇଥିବା କୁହାଯାଉଛି, ମାତ୍ର ପୌର ପରିଷଦର ଦୂରଦୃଷ୍ଟି ଅଭାବ ଯୋଗୁ ଆଜି ଲକ୍ଷାଧିକ ସରକାରୀ ଅର୍ଥ ବରବାଦ୍ ହେଲା ବୋଲି ସାଧାରଣରେ ଆଲୋଚିତ ହେଉଛି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ସ୍ଥାନରେ ପୌର ପରିଷଦ ପକ୍ଷରୁ ୮ଟି ଦୋକାନ ଗୃହ ନିର୍ମିତ ହୋଇଥିଲା। ସେଥିପାଇଁ ଲକ୍ଷଲକ୍ଷ ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିଲା। ଦୋକାନ ଗୃହ ନିର୍ମାଣ ହେବା ପରେ ସେହି ଗୃହ ଗୁଡ଼ିକୁ ବିଭିନ୍ନ ଦୋକାନୀଙ୍କ ମଧ୍ୟରେ ଆବଣ୍ଟିତ କରାଯାଇଥିଲା ଏବଂ ସେଠାରେ ନାନା ପ୍ରକାର ଦୋକାନ ଗଢ଼ି ଉଠିଥିଲା। ସେହି ଦୋକାନ ଗୁଡ଼ିକରୁ ଦୋକାନୀମାନେ ରୋଜଗାର ମଧ୍ୟ କରି ଆସୁଥିଲେ। ଅନ୍ୟପଟେ ସମ୍ପୃକ୍ତ ଦୋକାନ ଗୃହ ଗୁଡ଼ିକ ନିର୍ମାଣ ହେବା ଦିନଠାରୁ ତାକୁ ନେଇ ସାଧାରଣରେ ନାନା ଚର୍ଚ୍ଚା ଚାଲି ଆସୁଥିଲା। ସେଠାରୁ କେନାଲ ପାର୍ଶ୍ୱ ଦେଇ ଏକ ରାସ୍ତା ସହର ମଧ୍ୟକୁ ସଂଯୋଗ କରୁଛି। ସେହିପରି ପାଖରେ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତି ଥିବାବେଳେ ନିକଟରେ ମୁଖ୍ୟରାସ୍ତା ଯାଇଛି। ଏଭଳି ସ୍ଥିତିରେ ସେଠାରେ ଦୋକାନ ଗୃହ ଗୁଡ଼ିକର ନିର୍ମାଣକୁ ନେଇ ଆରମ୍ଭରୁ ବିଭିନ୍ନ ମହଲ ନାପସନ୍ଦ କରି ଆସୁଥିଲେ।
ତେବେ ଉଚ୍ଛେଦ ପରେ ଦୋକାନ ଗୁଡ଼ିକ ମାଟିରେ ମିଶି ଯାଇଛି। ଦୋକାନୀ ଗୁଡ଼ିକ ସେଠାରେ ନିଜ ଜୀବିକା ହରାଇଛନ୍ତି। ଅନ୍ୟପଟେ ଉଚ୍ଛେଦ ପୂର୍ବରୁ ସମ୍ପୃକ୍ତ ଦୋକାନୀମାନଙ୍କୁ ଅନ୍ୟତ୍ର ଥଇଥାନ କରିବାକୁ ପୌର ପ୍ରଶାସନ ନିର୍ଭର ପ୍ରତିଶ୍ରୁତି ଦେଇଥିଲା। ଏହାପରେ ଦୋକାନୀମାନେ ଦୋକାନ ଗୁଡ଼ିକୁ ଖାଲି କରି ଦେଇଥିଲେ ଏବଂ ସେଠାକୁ ବୋଲଡ଼ୋଜର ମାଡ଼ି ବସିଥିଲା। ତେବେ ଉଚ୍ଛେଦ ପରେ ଦୋକାନୀମାନଙ୍କୁ ଥଇଥାନ କରିବାକୁ ପ୍ରତିଶ୍ରୁତି ମିଳିଛି ସତ, ମାତ୍ର ସେହି ଦୋକାନ ଗୃହ ଗୁଡ଼ିକ ନିର୍ମାଣ କରିବାରେ ଯେଉଁ ଲକ୍ଷଲକ୍ଷ ଟଙ୍କା ସରକାରୀ ଅର୍ଥ ବିନିଯୋଗ ହୋଇଥିଲା, ତାକୁ ଏବେ କିଏ ଭରଣା କରିବ ବୋଲି ସହରସାରା ଚର୍ଚ୍ଚା ଜୋର୍ ଧରିଛି।