ଆଜିଠାରୁ ଦୋକାନ ଉଚ୍ଛେଦ

ଅନୁଗୋଳ ଅଫିସ, ୨୪।୫ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଛାତରୁ ପଲସ୍ତରା ଖସିବା ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଫାଟକକୁ ମେଡିକାଲ କର୍ତ୍ତୃପକ୍ଷ ତାଲା ପକାଇ ବନ୍ଦ କରିଦେଇଥିଲେ। ହେଲେ ରୋଗୀଙ୍କ ଅବଗତ ପାଇଁ ସେପରି କିଛି ବ୍ୟବସ୍ଥା କରାଯାଇ ନ ଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନେ ବାଟବଣା ହେଉଥିଲେ। ଏ ନେଇ ଗତ ଶନିବାର ‘ଧରିତ୍ରୀ’ରେ ‘ସ୍ବାସ୍ଥ୍ୟକେନ୍ଦ୍ରକୁ ବାଟ ଖୋଜୁଛନ୍ତି ରୋଗୀ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଏହି ଗେଟ୍‌ ଉପରେ ଦୋକାନ ନିର୍ମାଣ କରିଥିବା ପୌର କର୍ତ୍ତୃପକ୍ଷ ତପତ୍ରତା ଦେଖାଇଥିଲେ। ଏପରିକି ସମ୍ପୃକ୍ତ ଦୋକାନୀଙ୍କୁ ଚାବି ମାଗିବା ସହ ଦୋକାନ ଖାଲି କରିବାକୁ କହିଥିଲେ। ସୋମବାର ଦୋକାନୀ ପୌର କାର୍ଯ୍ୟାଳୟରେ ଚାବି ଦାଖଲ କରିଥିବାରୁ ମଙ୍ଗଳବାରଠାରୁ ଫାଟକ ଉପରେ ଥିବା ଦୋକାନ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜିଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକ ଛାତ ଉପରେ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୋକାନ ନିର୍ମାଣ କରାଯାଇଛି। ଫଳରେ ଉକ୍ତ ଫାଟକ ଛାତ ଦୁର୍ବଳ ହୋଇଯାଇଥିବାରୁ ଗତ ରବିବାର ବଡ଼ ଆକରରେ ପଲସ୍ତରା ଖସିଥିଲା। ଏହାପରେ ମେଡିକାଲ କର୍ତ୍ତୃପକ୍ଷ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ପଛପାର୍ଶ୍ୱ ଫାଟକରେ ଯାତାୟତ କରିବାକୁ ସୂଚନା ଥିବା ଏକ କାଗଜ ମାରି କାମ ସାରିଦେଇଥିଲେ। ସେଠାରେ କୌଣସି ସୁରକ୍ଷା କର୍ମୀ କିମ୍ବା ହେଲ୍ପଡେକ୍ସ କର୍ମଚାରୀଙ୍କୁ ନିୟୋଜିତ କରାଯାଇ ନ ଥିଲା। ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ବାଟବଣା ହେଉଥିଲେ। ଏ ନେଇ ଅସନ୍ତୋଷ ପ୍ରକାଶ ପରେ ପୌର କର୍ତ୍ତୃପକ୍ଷ ମେଡିକାଲର ମୁଖ୍ୟ ଫାଟକ ଉପରେ ଥିବା ଦୋକାନକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ବ୍ୟବସାୟୀଙ୍କୁ ଆଗୁଆ ଅବଗତ କରାଯିବା ପରେ ଦୋକାନୀ ଜଣଙ୍କ ଚାବି ପୌର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। ଏ ନେଇ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ଦୋକାନ ଚାବି ହସ୍ତଗତ ହୋଇଛି। ମଙ୍ଗଳବାରଠାରୁ ମୁଖ୍ୟ ଫାଟକ ଉପରେ ଥିବା ଦୋକାନ ଉଚ୍ଛେଦ କରାଯିବ। ଫାଟକ ମରାମତି କରାଯିବା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ।