ପୂର୍ବ ଶତ୍ରୁତାକୁ ନେଇ ଗୁଳି, ବୋମାମାଡ଼

ପିପିଲି,୨୬।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): ପୁରୀ ଜିଲା ପିପିଲି ଅଞ୍ଚଳରେ ସୋମବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଓ ବୋମାମାଡ଼ ହୋଇଛି। ପ୍ରଥମେ ପିପିଲି ଏନ୍‌ଏସି ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବାବେଳେ ଏଥିରେ ସ୍ଥାନୀୟ ଉଜାଣିପଡା ଗ୍ରାମର ସନାତନ ପ୍ରଧାନ ଓରଫ ସାନୁ ଗୁରୁତର ଆହତ ହୋଇଥିଲେ। ସାନୁଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ପିପିଲି ମେଡିକାଲ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ଜିଲା ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପିପିିଲି ଥାନାରେ ପହଞ୍ଚତ୍ ଏସ୍‌ଡିପିଓ ଦେବଦତ୍ତ ବରାଳ ଓ ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଗୁଳିକାଣ୍ଡର କିଛି ସମୟ ପରେ ନରସିଂହପୁର ଗ୍ରାମରେ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ହୋଇଥିଲା। ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବାବେଳେ ପିପିଲିରେ ଆଖପାଖ ଥାନାର ୬ଜଣ ଇନ୍ସପେକ୍ଟର ୪ଟି ପାଟ୍ରୋଲିଂ ଭ୍ୟାନରେ ପାଟ୍ରୋଲିଂ କରିଥିବା ବେଳେ ୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଖବରପାଇ ମଙ୍ଗଳବାର ଏସ୍‌ପି କନଓ୍ବର ବିଶାଲ ସିଂ ପିପିଲି ଅଞ୍ଚଳରେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିବା ସହ ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ସହ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ପିପିଲି କଲେଜର ଜଣେ ଛାତ୍ରୀଙ୍କୁ ଜଣେ ଅଣଛାତ୍ର କମେଣ୍ଟ ମାରିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣା ସହ ଅଞ୍ଚଳର ନରସିଂହପୁର ଓ ଉଜାଣିପଡ଼ା ଗ୍ରାମର ୨ ଗୋଷ୍ଠୀ ପକ୍ଷରୁ ପୂର୍ବ ଶତ୍ରୁତା ଥିବାରୁ ସେହିଦିନ ଗୋଟିଏ ଗୋଷ୍ଠୀ ଉଜାଣିପଡ଼ା ଗ୍ରାମର କାଳୁ ପ୍ରଧାନଙ୍କୁ ଚାପଡ଼ରେ ଆକ୍ରମଣ କରିଥିଲେ। ପରେ ରାତିରେ ପୁଣି ଗୋଟିଏ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ମଧ୍ୟ ହୋଇଥିଲା। ଏହି ସବୁ ଘଟଣାକୁ ନେଇ ପୋଲିସ ପୃଥକ ୩ଟି ମାମଲା(ନଂ.୫୪୭, ୫୫୦, ୫୫୧/୨୨) ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ସୋମବାର ଏନ୍‌ଏସି ୭ନଂ. ଓ୍ବାର୍ଡ ନରସିଂହପୁର ସାହିରେ ଉଭୟ ଗୋଷ୍ଠୀ ପୁଣି ମୁହଁାମୁହିଁ ହୋଇଥିଲେ। ଏହି ସମୟରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଗୁଳିମାଡ଼ରେ ଉଜାଣିପଡ଼ାର ସନାତନଙ୍କୁ ଗୁଳି ବାଜିଥିଲା। ଏହି ଘଟଣାର କିଛି ସମୟ ପରେ ଅନ୍ୟ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ହୋଇଥିଲା। ତେବେ ବୋମାମାଡ଼ ନରସିଂହପୁର ସାହିର ଏକ ମସ୍‌ଜିଦ୍‌ ନିକଟରେ ହୋଇଥିବାରୁ ମସଜିଦ୍‌ କମିଟି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଫଳରେ ପୋଲିସ ଗୁଳିକାଣ୍ଡ ଓ ବୋମାମାଡ଼କୁ ନେଇ ୨ଟି ପୃଥକ ମାମଲା (ନଂ.୫୫୯, ୫୬୦/୨୨) ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣାରେ ପୋଲିସ ଏକ ବୋମା ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଅନ୍ୟପଟେ ଛାତ୍ରୀଙ୍କୁ କମେଣ୍ଟମରା ଘଟଣା ସହ ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ବିଭିନ୍ନ କାରଣକୁ ନେଇ ପୂର୍ବବିବାଦ ଲାଗିରହିଥିଲା। ଏହି ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ ନିୟୋଜିତ କରାଯାଇଛି, ତୁରନ୍ତ ସେମାନଙ୍କୁ ଧରାଯିବ ବୋଲି ଜିଲା ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଥିବା ବେଳେ ଉଭୟ ଗୋଷ୍ଠୀର ମୁରବିଙ୍କୁ ନେଇ ଶାନ୍ତି କମିଟି ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି।