ପାରିଲେନି; କରୋନା ସହ ଲଢ଼େଇରେ ହାରିଗଲେ ‘ଶୁଟର୍‌ ଦାଦି’

ବମ୍ବେ: ଆଉ ନାହାନ୍ତି ଶୁଟର୍‌ ଦାଦି ନାମରେ ଖ୍ୟାତ ଚନ୍ଦ୍ରୋ ତୋମାର। କରୋନା ସହ ଲଢ଼େଇରେ ସେ ହାରି ଯାଇଛନ୍ତି। କିଛି ଦିନ ତଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଉତ୍ତରପ୍ରଦେଶର ବାଗପତର ଜୋହରି ଗ୍ରାମର ଏହି ୮୯ ବର୍ଷୀୟ ଦାଦି କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କୁ ମେରଠର ଆନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ଜଣାପଡ଼ିବା ପରେ ଖେଳ ଜଗତ ସହ ସିନେମା ଓ ରାଜନୀତିଜଗତର ପ୍ରମୁଖ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଭାରତର ସବୁଠାରୁ ବୟସ୍କ ଶାର୍ପସୁଟର ଚନ୍ଦ୍ରୋ ଓ ପ୍ରକାଶି ତୋମରଙ୍କ ଜୀବନକାହାଣୀକୁ ନେଇ ଫିଲ୍ମ ‘ସାଣ୍ଢ କି ଆନ୍ଖ’ ନିର୍ମିତ ହୋଇଥିଲା। ଏଥିରେ ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଓ ଭୂମି ପେଡନେକର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏବେ ଚନ୍ଦ୍ରୋଙ୍କ ପରଲୋକ ଖବର ଶୁଣି ସେମାନେ ମର୍ମାହତ ହୋଇଛନ୍ତି। ସବୁବେଳେ ସେ ସବୁ ଝିଅଙ୍କ ପାଇଁ ପ୍ରେରଣାର ଉତ୍ସ ରହିବେ ବୋଲି ଅଭିନେତ୍ରୀ କହିଛନ୍ତି।

Share