ଜିନିଷ କିଣିବାର ୨୪ ଘଣ୍ଟା ମଧ୍ୟରେ କରୋନା ପଜିଟିଭ ଜଣାପଡ଼ିଲେ ୫୦ ହଜାର ଟଙ୍କାର କ୍ୟାଶବ୍ୟାକ୍‌: ଏଭଳି ଅଫର ଦେଇ ଦୋକାନ ସିଲ୍‌

ବ୍ୟବସାୟୀମାନେ ନିଜର ଲାଭ ପାଇଁ କିଛି ବି କରିପାରନ୍ତି। କରୋନା ସମୟରେ କେରଳର ଜଣେ ଦୋକାନୀ ନିଜ ବ୍ୟବସାୟ ପାଇଁ ଏକ ଅଦ୍ଭୁତ ଅଭିନବ ଅଫର୍‌ ଦେଇଛନ୍ତି। ଅଫର୍‌ର ବିଜ୍ଞାପନ ଅନୁଯାୟୀ, ତାଙ୍କ ଦୋକାନରୁ ଜିନିଷ ନେବାର ୨୪ ଘଣ୍ଟା ମଧ୍ୟରେ କେହି କରୋନା ପଜିଟିଭ ଜଣାପଡ଼ିଲେ ତାଙ୍କୁ ବିନା ଜିଏସ୍‌ଟିରେ ୫୦ ହଜାର ଟଙ୍କାର କ୍ୟାଶବ୍ୟାକ୍‌ ମିଳିବ। କିନ୍ତୁ ଏଭଳି ଅଫର୍‌ ଦେବା ଦୋକାନୀ ଜଣଙ୍କୁ ମହଙ୍ଗା ପଡ଼ିଛି।
ଏହା ଏକ ଇଲେକ୍‌ଟ୍ରୋନିକ୍ସ ଦୋକାନ। ଏହି ଅଫର୍‌ ଗତ ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଥିଲା। ତେବେ ଏହି ଅଫର୍‌ର ବିଜ୍ଞାପନ ଚାରିଆଡ଼େ ବ୍ୟାପିଗଲା। ବିନୁ ପୁଲିକକ୍କାଣ୍ଡ ନାମକ ଜଣେ ଓକିଲଙ୍କ ଦୃଷ୍ଟିକୁ ଏହା ଆସିବା ପରେ ସେ ଉକ୍ତ ଦୋକାନୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ। ଚିଠିରେ ସେ ଉକ୍ତ ବିଜ୍ଞାପନକୁ ଆଇନ ବିରୋଧୀ ବୋଲି ଦର୍ଶାଇଥିଲେ। ଏଭଳି ଅଫର୍‌ ଦ୍ୱାରା କୌଣସି କରୋନା ସଂକ୍ରମିତ ଏହାର ସୁଯୋଗ ନେବେ। ସେମାନେ ତାଙ୍କ ଦୋକାନରେ ପହଞ୍ଚତ୍ ଅକାରଣରେ ଅନେକଙ୍କ ପାଇଁ ସଂକ୍ରମଣର କାରଣ ପାଲଟିବେ। ଏହି ଅଭିଯୋଗ ପରେ ସ୍ଥାନୀୟ ପୋଲିସ ଉକ୍ତ ଦୋକାନକୁ ସିଲ୍‌ କରିବା ସହ ଏହାର ତଦନ୍ତ ଚଳାଇଛି।

Share