Categories: ଜାତୀୟ

ଉଦ୍ଧବ ସମର୍ଥକଙ୍କୁ ଝଟ୍‌କା, ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ ଅସଲି ଶିବସେନା କିଏ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୭।୯ : ଶିବସେନାଙ୍କ ଉଦ୍ଧବ ଠାକରେଙ୍କ ସମର୍ଥକଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଝଟ୍‌କା ମିଳିଛି। ଦଳର ଚିହ୍ନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କର କାର୍ଯ୍ୟ ବନ୍ଦ କରିବାକୁ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ମନା କରି ଦେଇଛନ୍ତି। ଉଦ୍ଧବଙ୍କ ଦଳର ଦାବି ଥିଲା ଯେ ବିଧାୟକଙ୍କ ଅଯୋଗ୍ୟତା ନିଷ୍ପତ୍ତି ପୂର୍ବରୁ ନିର୍ବାଚନ ଆୟୋଗ ଦଳର ଚିହ୍ନ ନେଇ ବିଚାର କରିବା ଉଚିତ ନୁହେଁ। କିନ୍ତୁ ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଦଳର ଦଳର ରାଜନୈତିକ ଚିହ୍ନ ଆବଣ୍ଟନ ନେଇ ନିର୍ବାଚନ ଆୟୋଗରେ ଚାଲିଥିବା ପ୍ରକ୍ରିୟା ସ୍ଥଗିତ ରଖାଯିବା ଉଚିତ ବୋଲି ଉଦ୍ଧବଙ୍କ ଦଳର ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘଭି କହିଥିଲେ। ସିବଲ ଯୁକ୍ତି କରିଥିଲେ ଯେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗ ବିଚାରାଧୀନ ଅଛି। ଏଭଳି ପରିସ୍ଥିତିରେ କୌଣସି ନିଷ୍ପତ୍ତି ନ ନେଇ ନିର୍ବାଚନ ଆୟୋଗଙ୍କୁ ପ୍ରକୃତ ଦଳ ଉପରେ ନିଷ୍ପତ୍ତି ନେବାକୁ ରୋକାଯିବା ଉଚିତ।

ଶିନ୍ଦେ ଗୋଷ୍ଠୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ ନୀରଜ କିଶନ କୌଲ କହିଥିଲେ ଏହା ସହ ଉପଲବ୍ଧ ତଥ୍ୟ ଆଧାରରେ ନିର୍ବାଚନ ଆୟୋଗ ଦଳର ନିର୍ବାଚନୀ ଚିହ୍ନ ଉପରେ ନିଷ୍ପତ୍ତି ନିଅନ୍ତୁ। ଏହା ହେଉଛି ଆୟୋଗର ସାମ୍ବିଧାନିକ କାର୍ଯ୍ୟ। ଏନେଇ ଅଟକାଇବା ଉଚିତିନୁହେଁ ।
ନିର୍ବାଚନ ଆୟୋଗଙ୍କର ଆଇନଜୀବୀ ଅରବିନ୍ଦ ଦତ୍ତ କହିଛନ୍ତି ଯେ ଆୟୋଗ ଏହାର ସାମ୍ବିଧାନିକ ଦାୟିତ୍ୱ ପାଳନ କରୁଛି। ଏକ୍ଷେତ୍ରରେ ବାଧା ଉଚିତ ନୁହେଁ। କିଏ ବିଧାୟକ ଏବଂ କିଏ ନୁହଁନ୍ତି ତାହା ଆୟୋଗ ଦେଖୁନାହିଁ। ଏଥିପାଇଁ କେବଳ ଦଳର ସଦସ୍ୟ ହେବା ଯଥେଷ୍ଟ ।

Share