Categories: ଖେଳ

ଛାଡ଼ପତ୍ରକୁ ଗୁଜବ କହିଲେ ଶୋଏବ

କରାଚୀ,୨୬ା୪(ପି.ଟି): ଭାରତୀୟ ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜାଙ୍କ ସହିତ ଛାଡପତ୍ର ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ୍‌। ବିଗତ ୬ ମାସ ହେବ ଉଭୟ ଅଲଗା ହେବା ନେଇ ଚର୍ଚ୍ଚା ହୋଇ ଆସୁଛି। ଏପରିକି ଉଭୟ ଏକତ୍ର ନଜର ମଧ୍ୟ ଆସୁନାହାନ୍ତି। ପ୍ରଥମ ଥର ପାଇଁ ଶୋଏବ ଏହା ଉପରେ ପ୍ରତିକ୍ରିୟା ରଖିବା ସହ ଏହାକୁ ଗୁଜବ ବୋଲି କହିଛନ୍ତି। ଉଭୟ ଏକତ୍ର ଦେଖା ନ ଯିବାର ମୁଖ୍ୟ କାରଣ ହେଉଛି ଉଭୟ କ୍ରୀଡା ସହ ଜଡିତ ପ୍ରଫେସନାଲ କମିଟମେଣ୍ଟ। ଏହା ବ୍ୟତୀତ ଇଦ୍‌ର ମାହୋଲରେ ସେ ନିଜ ପତ୍ନୀ ଓ ପୁଅଙ୍କୁ ମିସ୍‌ କରୁଥିବା କହିଛନ୍ତି ଶୋଏବ। ଏକ ପାକିସ୍ତାନୀ ଚ୍ୟାନେଲରେ ଶୋଏବ ଏହି ମନ୍ତବ୍ୟ ଦେଇଥିଲେ। ବୈବାହିକ ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ, ମାତ୍ର ଏହାକୁ ସମ୍ପର୍କର ଶେଷ ବୋଲି ବିବେଚନା କରିବା ଭୁଲ୍‌। ଉଭୟଙ୍କ ଅନ୍ତର୍ଜାତୀୟ କ୍ରୀଡା ଜୀବନର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ କାରଣରୁ ଏକତ୍ର ହୋଇପାରୁ ନ ଥିବା ସେ ସ୍ବୀକାର କରିଥିଲେ। ତେବେ ଉଭୟଙ୍କ ସମ୍ପର୍କକୁ ନେଇ ପ୍ରକାଶ ପାଉଥିବା ଖବର ଆଦୌ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଶୋଏବ ମଲିକଙ୍କ ପାକିସ୍ତାନୀ ଅଭିନେତ୍ରୀ ତଥା ୟୁ ଟ୍ୟୁବର ଆୟେଶା ଓମାରଙ୍କ ସହିତ ଏକ ଫଟୋଶୁଟ୍‌ ବେଶ୍‌ ଭାଇରାଲ ହୋଇଥିଲା। ଉଭୟଙ୍କ ନାମ ପରସ୍ପର ସହିତ ଯୋଡାଯାଇଥିଲା। ତେବେ ଉଭୟ ଶୋଏବ ଓ ଆୟେଶା ଏହି ଖବରକୁ ଅସ୍ବୀକାର କରି ଆସିଛନ୍ତି। ଏହି ଫଟୋଶୁଟ୍‌ଟି କିଛି ବର୍ଷ ପୂର୍ବରୁ ହୋଇଥିବା ନେଇ ଆୟେଶା ସ୍ପଷ୍ଟୋକ୍ତି ରଖିଥିଲେ। ସାନିଆ ମିର୍ଜା ନିଜ ଅନ୍ତର୍ଜାତୀୟ ଟେନିସ୍‌ରୁ ଅବସର ନେଇ ସାରିଥିବା ବେଳେ ୪୧ ବର୍ଷୀୟ ଶୋଏବ ବିଶ୍ୱର ବିଭିନ୍ନ ଲିଗ୍‌ରେ ଅଂଶଗ୍ରହଣ କରୁଛନ୍ତି। ଶୋଏବ ପୂର୍ବରୁ ବିବାହିତ ଥିବା ବେଳେ ୭ ଏପ୍ରିଲ୍‌ ୨୦୧୦ରେ ପ୍ରଥମ ପତ୍ନୀ ଆୟେଶା ସିଦ୍ଦିକିଙ୍କୁ ଛାଡପତ୍ର ଦେଇଥିଲେ।

Share