Categories: ଖେଳ

‘ରୋହିତ-ବିରାଟଙ୍କ ଶେଷ ବିଶ୍ୱକପ୍‌ ହୋଇପାରେ’

ନୂଆଦିଲ୍ଲୀ,୪।୬: କିଛି ଦିନ ଧରି ଖରାପ ଫର୍ମରେ ନଜର ଆସୁଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି। କୋହଲି ଆଇପିଏଲ୍‌ରେ ସାମାନ୍ୟ ଉନ୍ନତି କରିବା ନଜର ଆସିଥିଲେ ହେଁ ରୋହିତଙ୍କ ବ୍ୟାଟ୍‌ ଆଦୌ ଚାଲି ନ ଥିଲା। ଏହାକୁ ନେଇ ଉଭୟ ଖେଳାଳିଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖ୍‌ତର ଏନେଇ ମତ ରଖିଛନ୍ତି। ଟି୨୦ ବିଶ୍ୱକପ୍‌ ୨୦୨୨ ସମୟରେ ରୋହିତ-କୋହଲିଙ୍କ ଉପରେ ବହୁତ ଚାପ ରହିବ। ଏହା ଉଭୟଙ୍କ ପାଇଁ ଶେଷ ବିଶ୍ୱକପ୍‌ ମଧ୍ୟ ହୋଇପାରେ। କ୍ୟାରିୟରର ପରବର୍ତ୍ତୀ ପର୍ଯ୍ୟାୟରେ କ୍ରମାଗତ ଭାବେ ଚାପ ବୃଦ୍ଧି ପାଇଥାଏ। ସଚିନ ତେନ୍ଦୁଲକର ଯେତେବେଳେ ଶତକ ମାରି ପାରୁ ନ ଥିଲେ ସେତେବେଳେ ତାଙ୍କୁ ମଧ୍ୟ ସମସ୍ତଙ୍କ ପ୍ରଶ୍ନର ଜବାବ ଦେବାକୁ ପଡ଼ୁଥିଲା ବୋଲି ହରଭଜନ ସିଂଙ୍କ ସହ ସ୍ପୋଟ୍ସକିଡାରେ କଥାବାର୍ତ୍ତା କରି ସେ କହିଛନ୍ତି।

କହିରଖୁଛୁ, ନିକଟରେ ଶେଷ ହୋଇଥିବା ଆଇପିଏଲ୍‌ରେ ବିରାଟ ୨୨.୭୩ ହାରରେ ୩୪୧ ରନ୍‌ କରିଥିଲେ। ଏଥିରେ ଦୁଇଟି ଅର୍ଦ୍ଧଶତକ ଥିଲା। ଅପରପକ୍ଷେ ରୋହିତଙ୍କ ଅବସ୍ଥା ଆହୁରି ଖରାପ ଥିଲା। ସେ ୧୯.୧୪ ହାରରେ ୨୬୮ ରନ୍‌ କରିଥିଲେ। ଏପରିକି ତାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ୨୦୨୨ ଅଙ୍କ ତାଲିକାର ଶେଷ ସ୍ଥାନରେ ରହିଥିଲା। ଏହା ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଘଟିଥିଲା।

Share