Categories: ଖେଳ

ନୋ-ବଲ୍‌କୁ ନେଇ ଅମ୍ପାୟାରଙ୍କୁ କଟାକ୍ଷ କଲେ ଶୋଏବ-ରମିଜ୍‌

ନୂଆଦିଲ୍ଲୀ,୨୪।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ ସିଜନରେ ପ୍ରଥମ ବିଜୟ ସହ ପ୍ରଶଂସକଙ୍କୁ ଦୀପାବଳିର ଭେଟି ଦେଇଛି ଭାରତୀୟ ଟିମ୍‌। ମେଲବୋର୍ନରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଏହି ମୁକାବିଲାରେ ହିରୋ ପାଲଟିଥିଲେ ବିରାଟ କୋହଲି। ଏହାକୁ ନେଇ ତାଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଭାବେ ଚୟନ କରାଯାଇଥିଲା। ମ୍ୟାଚ୍‌ ଶେଷ ହେବା ପରେ ଗୋଟିଏ ପଟେ ଭାରତୀୟ ପ୍ରଶଂସକ ଖୁସି ମନାଇ ପାକିସ୍ତାନକୁ ଟାର୍ଗେଟ କରୁଛନ୍ତି। ଅପରପକ୍ଷେ ପାକିସ୍ତାନ ଟିମ୍‌ର ପୂର୍ବ ଖେଳାଳିମାନେ ଶେଷ ଓଭରରେ ଦିଆଯାଇଥିବା ନୋ-ବଲ୍‌କୁ ନେଇ ନୂଆ ବିବାଦ ସୃଷ୍ଟି କରିଛନ୍ତି। ବଲ୍‌ ଅଣ୍ଟା ତଳକୁ ଥିବା ଯୋଗୁ ତାହା ନୋ-ବଲ୍‌ ନ ଥିଲା ବୋଲି ପାକିସ୍ତାନୀ ପ୍ରଶଂସକ କହୁଛନ୍ତି।

ପାକିସ୍ତାନ ଟିମ୍‌ର ପୂର୍ବ ଦ୍ରୁତ ବୋଲର ଶୋଏବ ଅଖତର କୋହଲିଙ୍କ ଏକ ଫଟୋ ଶେୟାର କରି କହିଛନ୍ତି, ‘ଅମ୍ପାୟାର ଭାଇମାନେ , ଆଜି ରାତିରେ ଭାବିବା ଲାଗି ଆପଣଙ୍କ ଲାଗି ଖାଦ୍ୟ। ’ଅର୍ଥାତ ଏହା ସାଧାରଣ ବଲ୍‌ ଥିଲା ବୋଲି ସେ କହିଛନ୍ତି। ହେଲେ ତାଙ୍କୁ କେତେକ ବ୍ୟବହାରକାରୀ ବଲ୍‌ ଅଣ୍ଟା ଉପରେ ଥିବାରୁ ନୋ-ବଲ୍‌ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ସେହିଭଳି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା ମଧ୍ୟ ଟୁଇଟ୍‌ କରି ବିବାଦ ସୃଷ୍ଟି କରି ନ ଥିଲେ ହେଁ ମ୍ୟାଚ୍‌କୁ ଠିକ୍‌ ବୋଲି କହିନାହାନ୍ତି।

Share