Categories: ଜାତୀୟ

ନଡ଼ିଆକୁ ନେଇ ଶିବରାଜ-କମଲ ବାକ୍‌ଯୁଦ୍ଧ

ଭୋପାଳ, ୧୧।୧୦: ନଭେମ୍ବର ୩ରେ ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମଧ୍ୟରେ ନଡ଼ିଆକୁ ନେଇ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି। ନିର୍ବାଚନ ପାଖେଇ ଆସିବାରୁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଭୋଟରଙ୍କୁ ହାତେଇବା ପାଇଁ ଉଦ୍ୟମ କରୁଥିବା କମଳନାଥ ଅଭିଯୋଗ କରିଛନ୍ତି। ଶିବରାଜ ଦୁଇ ପକେଟରେ ସବୁବେଳେ ଶିଳାନ୍ୟାସ ଲାଗି ନଡ଼ିଆ ଧରି ବୁଲୁଥିବା କମଳନାଥ କଟାକ୍ଷ କରିଛନ୍ତି। ଏହାର ଉତ୍ତରରେ ଶିବରାଜ କହିଛନ୍ତି ଯେ, ଆମେ ନଡ଼ିଆ ଧରି ବୁଲୁଛୁ ଏହା କୌଣସି ଅପରାଧ ନୁହେଁ। କିନ୍ତୁ ଆମେ ଶାମ୍ପେନ୍‌ ବୋତଲ ଧରି ତ ବୁଲୁ ନାହୁଁ ବୋଲି ଶିବରାଜ ପାଲଟା ଜବାବ ଦେଇଛନ୍ତି। ଏହାର ଉତ୍ତରରେ କମଳନାଥ କହିଛନ୍ତି ଯେ, ୧୫ ଶାସନରେ ଶିବରାଜ ଯଦି ନଡ଼ିଆ ଧରି ଚାଲିଥାନ୍ତେ ତେବେ ତାହା ଭଲ ହୋଇଥାନ୍ତା। ମାତ୍ର ସେ କେବଳ ନିର୍ବାଚନ ସମୟରେ ଏଭଳି କରୁଛନ୍ତି। ଏହାଦ୍ୱାରା ସାଧାରଣ ଜନତାଙ୍କୁ ଭ୍ରମିତ କରିବାର ପ୍ରୟାସ କରାଯାଉଥିବା କମଳନାଥ କହିଛନ୍ତି। ଏବେ ଏହି ନଡ଼ିଆ ବାକ୍‌ଯୁଦ୍ଧ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share