ଶିବାଶିଷ ରାଉତ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଜେଇଇ ଆଡଭାନ୍ସଡ ୨୦୨୦ର ଫଳାଫଳ ସୋମବାର ଆଇଆଇଟି-ଦିଲ୍ଲୀ ପକ୍ଷରୁ ଘୋଷଣା କରାଯାଇଛି। ସାରା ଦେଶରେ ପ୍ରାୟ ୧.୫ ଲକ୍ଷ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିବାବେଳେ ୪୩,୨୦୪ଜଣ ପାସ୍‌ କରିଛନ୍ତି। କମନ୍‌ ର଼୍ୟାଙ୍କ୍‌ ଲିଷ୍ଟ (ସିଆର୍‌ଏଲ୍‌)ରେ ଚିରାଗ ଫାଲୋର ୩୯୬ ନମ୍ବରରୁ ୩୫୨ନମ୍ବର ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ତେବେ ଭୁବନେଶ୍ୱରର ଶିବାଶିଷ ରାଉତ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ୨୮୭ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୭୩ତମ ର଼୍ୟାଙ୍କ୍‌ରେ ରହିଛନ୍ତି। ଫଳାଫଳ ଜାଣିବା ପରେ ଶିବାଶିଷ ଖୁସିବ୍ୟକ୍ତ କରି କହିଛନ୍ତି ଯେ, ଆଶାଠାରୁ ଭଲ ରେଜଲ୍ଟ ହୋଇଛି। ମୁଁ ପ୍ରତିଦିନ ୧୦ ରୁ ୧୧ ଘଣ୍ଟା ଅଧ୍ୟୟନ କରୁଥିଲି। ଶିକ୍ଷକଙ୍କ ମାର୍ଗଦର୍ଶନ ଓ ସମର୍ଥନ ମୋ ମନରେ ବିଶେଷ ସାହସ ଓ ଆଗ୍ରହ ସୃଷ୍ଟି କରିଥିଲା। ବର୍ତ୍ତମାନ କେବଳ ଦିଲ୍ଲୀ କିମ୍ବା ମୁମ୍ବାଇ ପରି ଭଲ ଆଇଆଇଟିରେ ପ୍ରବେଶ କରିବା ମୋର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ସେହିଭଳି ଆଇଆଇଟି ରୁର୍‌କି ଜୋନ୍‌ର କନିଷ୍କା ମିତ୍ତଲ ୧୭ ର଼୍ୟାଙ୍କ୍‌ ସହ ଛାତ୍ରୀଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। ସେ ୩୯୬ ନମ୍ବର ମଧ୍ୟରୁ ୩୧୫ ନମ୍ବର ହାସଲ କରିଛନ୍ତି। ଅନ୍ୟପକ୍ଷରେ ବଲାଙ୍ଗୀର ଜିଲାର ରୌନକ ଡାଲମିଆ ସର୍ବଭାରତୀୟ ସ୍ତରରେ ୫୨ ର଼୍ୟାଙ୍କ୍‌ ହାସଲ କରିଥିଲେ ମଧ୍ୟ ସେ ଛତିଶଗଡ଼ ରାୟପୁରରେ ପରୀକ୍ଷା ଦେଇଥିଲେ।
ଚଳିତବର୍ଷ କୌଣସି ଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ୨୦୨୦ର ଟପ୍‌ ୧୦ରେ ସ୍ଥାନ ପାଇବାରେ ସଫଳ ହୋଇ ନ ଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପରୀକ୍ଷାର୍ଥୀମାନେ ଅଫିସିଆଲ ୱେବସାଇଟ୍‌ jeeadv.ac.inରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ରୋଲ୍‌ ନମ୍ବର ଓ ପାସ୍‌ୱାର୍ଡ ବ୍ୟବହାର କରି ସେମାନେ ଉକ୍ତ ଓ୍ବେବ୍‌ସାଇଟ୍‌ରୁ ନିଜର ସ୍କୋରକାର୍ଡ ଓ ରାଙ୍କ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ ବୋଲି କୁହାଯାଇଛି।