Categories: ଜାତୀୟ

ରାଗିକି ସଂସଦ ଟିଭିରୁ ଇସ୍ତଫା ଦେଲେ ଶିବସେନା ଏମ୍‌ପି

ନୂଆଦିଲ୍ଲୀ,୫।୧୨: ଶିବସେନା ରାଜ୍ୟ ସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ସଂସଦ ଟିଭିରୁ ଇସ୍ତଫା ଦେଇଛନ୍ତି। ସଂସଦୀୟ ଅଧିବେଶନରୁ ନିଲମ୍ବିତ ହେବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ସଂସଦ ଟିଭିରେ ଆଙ୍କରିଂ ଛାଡିବା ନେଇ ପ୍ରିୟଙ୍କା ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କ ନିକଟକୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, ମୁଁ ଅତ୍ୟନ୍ତ ମର୍ମାହତ ଥିବା ସହ ସଂସଦ ଟିଭିରୁ ‘ମେରୀ କାହାନୀ’ ଶୋରୁ ଆଙ୍କର ଭାବେ ଇସ୍ତଫା ଦେଇଛି। ସଂସଦରୁ ବଳପୂର୍ବକ ଭାବେ ମୋତେ ନିଲମ୍ବନ କରାଯାଇ ଥିବାରୁ ମୁଁ ଆଉ ସଂସଦ ଟିଭିରେ କାର୍ଯ୍ୟ କରିବାକୁ ଚାହୁଁ ନାହିଁ। ମୁଁ ଶୋ’ ପ୍ରତି ପ୍ରତିବଦ୍ଧ ଥିଲି ତଥାପି କାର୍ଯ୍ୟକ୍ରମରୁ ଅବ୍ୟାହତି ନେଉଛି ବୋଲି ସେ କହିଛନ୍ତି।
ଅଗଷ୍ଟରେ ପୂର୍ବ ଅଧିବେଶନରେ ହୋଇଥିବା ବିଶୃଙ୍ଖଳା ଆଚରଣ ପାଇଁ ଶୀତ ଅଧିବେଶନ ଆରମ୍ଭରୁ ପ୍ରିୟଙ୍କାଙ୍କ ସମେତ ୧୨ ଜଣ ରାଜ୍ୟ ସଭା ସଦସ୍ୟଙ୍କୁ ନିଲମ୍ବିତ କରାଯାଇଥିଲା। ଏହାକୁ ବିରୋଧ କରି ପାର୍ଲାମେଣ୍ଟ ସାମ୍ନାରେ ନିଲମ୍ବିତ ଏମ୍‌ପିମାନେ ବିରୋଧ ପ୍ରଦର୍ଶନ କରିଥିଲେ।

Share