Categories: ଜାତୀୟ

ରାଜ୍ୟ ସଭା ନିର୍ବାଚନ: ବିଧାୟକଙ୍କୁ ହୋଟେଲ ସିଫ୍ଟ କଲା ଶିବସେନା

ମୁମ୍ବାଇ,୭ ।୬: ଜୁନ ୧୦ରେ ହେବାକୁ ଯାଉଥିବା ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ଶିବସେନା ତା’ର ବିଧାୟକମାନଙ୍କୁ ସୋମବାର ରାତିରେ ମଲାଡଠାରେ ଥିବା ଏକ ହୋଟେଲକୁ ସିଫ୍ଟ କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନିର୍ଦ୍ଦଳୀୟ ଓ ଶିବସେନା ବିଧାୟକଙ୍କର ଏକ ବୈଠକ ହୋଇଥିଲା । ଏହାପରେ ବିଧାୟକଙ୍କୁ ବସଯୋଗେ ହୋଟେଲ ପଠାଇ ଦିଆଯାଇଛି ।

ବିଧାନସଭାର ୧୦୬ ସଦସ୍ୟ ବିଶିଷ୍ଟ ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ଅନିଲ ବୌଡେ ଓ ଧନଞ୍ଜୟ ମହାଦିକଙ୍କୁ ପ୍ରାର୍ଥୀ କରିଛି । ଏପଟେ ଏନସିପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଓ କଂଗ୍ରେସ ଇମରାନ ପ୍ରତାପଗଡିଙ୍କୁ ମଇଦାନକୁ ଓହ୍ଲାଇଛି । ସଞ୍ଜୟ ରାଉତ ଓ ସଞ୍ଜୟ ପାୱାର ରାଜ୍ୟ ସଭା ନିର୍ବାଚନରେ ଶିବସେନାରୁ ପ୍ରାର୍ଥୀ ହୋଇଛନ୍ତି । ଷଷ୍ଠ ରାଜ୍ୟ ସଭା ଆସନ ଲାଗି ଭାଜପାର ଧନଞ୍ଜୟ ମହାଦିକ ଓ ଶିବସେନାର ସଞ୍ଜୟ ପାୱାରଙ୍କ ମଧ୍ୟରେ ହୋଇଛି । ଭାଜପା ଦାବି କରିଛି ଯେ ଶିବାସନାର ସଞ୍ଜୟ ପାୱାରଙ୍କୁ ହରାଇ ଦଳ ସହଜରେ ବିଜୟ ଲାଭ କରିବ । ସୂଚନାଯୋଗ୍ୟ, ଏବେ ଶିବସେନାର ୫୫, ଏନସିପିର ୫୨ ଓ କଂଗ୍ରେସର ୪୪ ବିଧାୟକ ରହିଛନ୍ତି । ରାଜ୍ୟରେ ରାଜ୍ୟ ସଭା ନିର୍ବାଚନରେ ଜିତିବାକୁ ହେଲେ ଜଣେ ପ୍ରାର୍ଥୀଙ୍କୁ ୪୪ଟି ଭୋଟ ଦରକାର ।

Share