Categories: ଜାତୀୟ

ଶିବସେନା, ମାତୋଶ୍ରୀ ସହ ଖେଳନାହିଁ, ନଚେତ୍ ୨୦ ଫୁଟ ତଳେ ପୋତି ଦିଆଯିବ: ସଞ୍ଜୟ

ମୁମ୍ବାଇ,୨୪ ।୪: ମହାରାଷ୍ଟ୍ରରେ ଏବେ ଲାଉଡ ସ୍ପିକର ଓ ହନୁମାନ ଚାଳିଶାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଇତିମଧ୍ୟରେ ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରି ଗିରଫ ବି ହୋଇ ସାରିଛନ୍ତି । ଏହାରି ଭିତରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ ଅମରାବତୀର ଲୋକ ସଭା ସଦସ୍ୟ ନବନୀତ ରାଣାଙ୍କୁ ଦ୍ୱିତୀୟ ଥର ନିର୍ବାଚନ ଜିତିବାକୁ ନେଇ ଚ୍ୟାଲେଞ୍ଜ ଦେବା ସହ କହିଛନ୍ତି, ଯିଏ ବି ତାଙ୍କ ଦଳର ଧୈର୍ଯ୍ୟ ପରୀକ୍ଷା କରିବ ତାକୁ ୨୦ ଫୁଟ ତଳେ ପୋତି ଦିଆଯିବ ।
ସୂଚନାଯୋଗ୍ୟ, ରାଣା ଓ ତାଙ୍କର ବିଧାୟକ ସ୍ୱାମୀ ରବି ରାଣା କହିଥିଲେ କି ସେମାନେ ଉଭୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମୁମ୍ବାଇ ସ୍ଥିତ ନିଜ ଘର ମାତୋଶ୍ରୀ ସାମ୍ନାରେ ଶନିବାର ହନୁମାନ ଚାଳିଶା ପାଠ କରିବେ । ଏହା ଶିବସେନା କର୍ମୀ ହଜନ କରି ନ ପାରି ସାରା ଦିନ ଖାର ସ୍ଥିତ ନିର୍ଦ୍ଦଳୀୟ ବିଧାୟକ ରାଣାଙ୍କ ଘର ସାମ୍ନାରେ ଧାରଣାରେ ବସିଥିଲେ । ହେଲେ ବିଧାୟକ ଦମ୍ପତି ତାଙ୍କ ଘୋଷଣାକୁ ଦ୍ୱିପହର ସୁଦ୍ଧା ଫେରାଇ ନେଇଥିଲେ । ସେମାନେ କହିଥିଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମ୍ମାନ ସମାରୋହରେ ରବିବାର ମୁମ୍ବାଇ ଆସିବାର କାର୍ଯ୍ୟକ୍ରମ ଥିବାରୁ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବାକୁ ଚାହୁଁ ନାହାନ୍ତି ।

Share