ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା ଜଣାପଡ଼ିଛି। ଉକ୍ତ ଜାହାଜ ଭାରତୀୟ ଜଳସୀମାର ପୋର୍ଟବ୍ଲେୟାରଠାରୁ ୨୫୦ରୁ ୩୦୦ ନଟିକାଲ ମାଇଲ (୪୫୦ ରୁ ୫୪୦ କିମି)ମଧ୍ୟରେ ଘଟିଥିବା ଜଣାପଡ଼ିଛି। ଉକ୍ତ ଜାହାଜକୁ ଠାବ କରିବା ପାଇଁ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ସମୁଦ୍ରରେ ଖୋଜାଖୋଜି କରୁଥିବା ସୂଚନା ମିଳିଛି। ଉକ୍ତ ଜାହାଜରେ ୨୪ ଜଣ ନାବିକ ଥିଲେ। ସେଥିରୁ ୨୦ ଜଣ ଚାଇନା,୩ ମ୍ୟାନମାର ଓ ଜଣେ ବାଂଲାଦେଶୀ ଥିଲେ। ଉକ୍ତ ଖବର ଜାହାଜର ମାଲିକ ଟ୍ରାକିଂ ସିଷ୍ଟମରୁ ଜାଣିବା ପରେ ଭାରତୀୟ ଗୁଇନ୍ଦା ବିଭାଗକୁ ସୂଚନା ଦେଇଥିଲେ। ଜାହାଜ ଓସେନ ଓ୍ବିନରରେ ପାନାମା ଦେଶର ପତାକା ଲାଗିଥିଲା। ଉକ୍ତ ଜାହାଜ ପାରାଦୀପ ବନ୍ଦର ମଧ୍ୟରୁ ଲୁହାପଥର ବୋଝେଇ କରି ଗୁରୁବାର ରାତି ୧୦.୩୦ରେ ବର୍ଥ ଛାଡିଥିଲା। ସମୁଦ୍ରରେ ୨୪ ଘଣ୍ଟା ଯାତ୍ରା ପରେ ନିଖୋଜ ହୋଇଛି ବୋଲି ସୂଚନା ମିଳିଛି। ଏହା ଗଭୀର ସମୁଦ୍ରରେ ବୁଡ଼ି ଯାଇଥିବା କୁହାଯାଇଛି। ଜାହାଜ ବୁଡିଥିଲେ ସେଥିରେ ଥିବା ଛୋଟ ସୁରକ୍ଷା ବୋଟରେ ନାବିକ ଓହ୍ଲାଇ ସମୁଦ୍ରରେ ଥିବେ ବୋଲି ସୁରକ୍ଷା ଟିମ୍ ସନ୍ଧାନ କରୁଛନ୍ତି। ପାନାମା ଦେଶର ଜାହାଜ ଓ ଚାଇନା ଯାଉଥିବାରୁ ଏହାକୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଦୁର୍ଘଟଣା ବୋଲି କୁହାଯାଇପାରିବ ନାହିଁ। କେଉଁ ପରିସ୍ଥିତିରେ ଜାହାଜ ନିଖୋଜ ଅଛି ତାହା ଅସ୍ପଷ୍ଟ ରହିଛି।
ପାରାଦୀପରୁ ଯାଉଥିବା ଜାହାଜ ନିଖୋଜ ହେବା ଘଟଣା ବ୍ଲାକରୋଜ ଜାହାଜ ଦୁର୍ଘଟଣାକୁ ତାଜା କରିଛି। ୯-୯-୨୦୦୯ରେ ପାରାଦୀପରୁ ଲୁହାପଥର ଅଧା ବୋଝେଇ କରି ସମୁଦ୍ରରେ ଥିବା ଏକ ପଣ୍ୟବାହୀ ଜାହାଜ ଏମ୍ଭି ବ୍ଲାକରୋଜ ବୁଡି ଯାଇଥିଲା। ସେଥିରେ ଥିବା ୨୬ ଜଣ ନାବିକଙ୍କୁ ପାରାଦୀପ ବନ୍ଦର ମେରାଇନ ବିଭାଗ ୨୫ ଜଣଙ୍କୁ ଉଦ୍ଧାର କରିଥିଲେ। ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା।