ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୁଳି ମାରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିଲା

ଟୋକିଓ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ଶୁକ୍ରବାର ଗୁଳିମାଡ କରାଯାଇଛି। ଜାପାନର ନାରା ସହରରେ ଏକ ରାଲିରେ ସମ୍ବୋଧିତ କରୁଥିବାବେଳେ ଏହି ଘଟଣା ଘଟିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା। ଆକ୍ରମଣକାରୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପଛପଟୁ ଗୁଳି ଚଳାଇଥିଲେ। ପୋଲିସ ତାଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ କରିଛି।
ସିଞ୍ଜୋ ଆବେଙ୍କୁ ଗୁଳି ଚଳାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାମ ଟେଟସୁୟା ୟାମାଗାମି। ତାଙ୍କର ବୟସ ୪୧ ବର୍ଷ। ସେ ନାରା ସହରର ବାସିନ୍ଦା। ପୋଲିସ ତାଙ୍କୁ ପଚରାଉଚରା ଜାରି ରଖିଛି। ସେ ଜାପାନ ନୌସେନାର ଜଣେ ପୂର୍ବତନ ସୈନିକ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ସିଞ୍ଜୋ ଆବେ ଶୁକ୍ରବାର ୧୧.୩୦ରେ ନାରା ସହରରେ କାଉନସିଲର ନିର୍ବାଚନ ପାଇଁ ଅଭିଭାଷଣ ପ୍ରଦାନ କରୁଥିବାବେଳେ ତାଙ୍କ ଉପରକୁ ପଛପଟୁ ଗୁଳିମାଡ ହୋଇଥିଲା। ଗୁଳିମାଡ ହେବାର ୧୫ ମିନିଟ ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ମାଧ୍ୟମରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେହି ସମୟରେ ତାଙ୍କର ହୃଦଘାତ ମଧ୍ୟ ହୋଇଛି। ୬୭ ବର୍ଷୀୟ ଆବେଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।

Share