Categories: ଜାତୀୟ

ଶିନ୍ଦେ ସରକାର ଆମକୁ ଉତ୍ତେଜିତ କରିବାର ପ୍ରୟାସ କରୁଛନ୍ତି: ବୋମ୍ମାଇ…

ବେଙ୍ଗାଲୁରୁ,୨୭।୧୨ : ପଡୋଶୀ ମହାରାଷ୍ଟ୍ରର ବିଧାନସଭାରେ ଅଣାଯାଇଥିବା ପ୍ରସ୍ତାବ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ଆମକୁ ଉତ୍ତେଜିତ କରିବାର ପ୍ରୟାସ କରୁଛନ୍ତି ଏବଂ ଆମକୁ ବିଭାଜନ କରିବାକୁ ଧମକ ଦେଉଛନ୍ତି। ଆମେ ଏହାକୁ ନିନ୍ଦା କରୁଛୁ। ରାଜ୍ୟ ପୁନର୍ଗଠନ ଆଇନ ୧୯୫୬ରେ ପାସ ହେବା ପରେ ଅନେକ ଦଶନ୍ଧି ବିତି ଯାଇଛି ।

ଲୋକମାନେ ଉଭୟ ରାଜ୍ୟରେ ସମନ୍ବୟ ରକ୍ଷା କରନ୍ତି। ମହାରାଷ୍ଟ୍ର ଏହି ପ୍ରସଙ୍ଗରେ ରାଜନୀତି କରୁଛି ଏବଂ ଏଭଳି ସଂକଳ୍ପ ପାରିତ କରିବା କେବଳ ଏକ ରାଜନୈତିକ ଉଦ୍ଦେଶ୍ୟ। କର୍ନାଟକର ଏକ ଇଞ୍ଚ ମଧ୍ୟ ମହାରାଷ୍ଟ୍ରକୁ ଦେବ ନାହିଁ।

ଯେତେବେଳେ ସୁପ୍ରିମକୋର୍ଟରେ ଏହି ମାମଲା ବିଚାରାଧୀନ ଅଛି, ସେମାନେ କାହିଁକି ଏପରି ପ୍ରସ୍ତାବ ପାରିତ କଲେ? ଆମର ପ୍ରସ୍ତାବ ସେମାନଙ୍କଠାରୁ ଭିନ୍ନ। ଆମର ରିଜୋଲ୍ୟୁସନ କହିଛି ଯେ ଆମେ ଆମର ଜମିକୁ ଛାଡିବୁ ନାହିଁ। ମାତ୍ର ସେମାନେ କହୁଛନ୍ତି ଯେ ଏହାକୁ ଆମଠାରୁ ଛଡ଼େଇ ନେବେ। ଯେତେବେଳେ ସୁପ୍ରିମକୋର୍ଟରେ ଏହି ମାମଲା ବିଚାରାଧୀନ ଅଛି, ସେତେବେଳେ ରିଜୋଲ୍ୟୁସନର କିଛି ଅର୍ଥ ନାହିଁ। ଆମେ ସୁପ୍ରିମକୋର୍ଟ ଉପରେ ବିଶ୍ୱାସ କରୁ।

Share